ତୈଳ ଦର, ଏଲପିଜି ଦରବୃଦ୍ଧି ବିରୋଧରେ ମହିଳାଙ୍କ ରଣହୁଙ୍କାର

ବ୍ରହ୍ମପୁର: ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ୍‌ରୁ ଆରମ୍ଭ କରି ରୋଷେଇଶାଳରେ ବ୍ୟବହୃତ ତେଲ, ଜାଇ, ପରିବା ଦର ସବୁ ଉପରମୁହାଁ। ଗୃହନିର୍ମାଣ ସାମଗ୍ରୀର ଉଚ୍ଚ ଦର ସାଙ୍ଗକୁ ଉଣାଅଧିକ ସମସ୍ତ କ୍ଷେତ୍ରରେ ଦରବୃଦ୍ଧି ଏବେ ସମାଜର ସବୁ ବର୍ଗର ଲୋକଙ୍କୁ ହନ୍ତସନ୍ତ କରି ପକାଇଲାଣି। ଦୈନଦିନ ଜୀବନ ଏବେ ଦରବୃଦ୍ଧି ମାଡ଼ରେ ଘାଣ୍ଟି ହୋଇପଡ଼ିଲାଣି। ତେଲ, ଲୁଣରେ ସଂସାର ଚଳାଉଥିବା ଖଟିଖିଆ, ଦିନ ମଜୁରିଆ, ଚାଷୀରୁ ଆରମ୍ଭ କରି ମଧ୍ୟବିତ୍ ବର୍ଗର ଲୋକ କେହି ଏଥିରୁ ବାଦ୍ ପଡୁନାହାନ୍ତି। ସମସ୍ତଙ୍କୁ ଏବେ ସହିବାକୁ ପଡୁଛି ବୁରେ ଦିନ୍ କରୋଡ଼ା ମାଡ଼। ଗୋଟିଏ ପଟେ କରୋନା ସଂକ୍ରମଣ ସମଗ୍ର ବିଶ୍ବରେ ଆର୍ଥିକ ଭିତ୍ତିଭୂମିକୁ ଦୋହଲାଇ ଦେଇଥିବା ବେଳେ ଏବେ ଆମ ଦେଶରେ ଉଚ୍ଚ ଦର ସମଗ୍ର ଦେଶରେ ସାଧାରଣ ଜନଜୀବନକୁ ଅତିମାତ୍ରାରେ ଦୁର୍ବିସହ କରି ପକାଇଲାଣି। ଅଛେ ଦିନର ସ୍ଵପ୍ନ ଦେଖାଇ ଶାସନ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର କିନ୍ତୁ ତେଲ ଦରବୃଦ୍ଧି କଥା ପଡ଼ିଲେ କେନ୍ଦ୍ରୀୟ କର କଥା ଭୁଲାଇ ରାଜ୍ୟ ଭାଟ୍, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବାହାନା ଦେଖାଉଛନ୍ତି। ଏହା ପ୍ରତିବାଦରେ ବିଜେଡି ଦଳ ରାଜରାସ୍ତାକୁ ଓହ୍ଲାଇଛି। ଆଜି ରାଜ୍ୟତମାମ ବିଜେଡି ନେତା ଓ କର୍ମୀ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିର ବିରୋଧ କରି ଆନ୍ଦୋଳନ କରିଛନ୍ତି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଜନତାଙ୍କ ସ୍ଵରର ପ୍ରତିଫଳନ କରୁଥିବା ବିଜେଡି ନେତା ଓ କର୍ମୀଙ୍କ ବିକ୍ଷୋଭ, ଧାରଣା ଓ ସ୍ଲୋଗାନବାଜି ସାଙ୍ଗକୁ ଦରବୃଦ୍ଧିର ପ୍ରତିକାର କରି ସାଧାରଣ ଜନତାଙ୍କୁ ମହଙ୍ଗା ଛାଟରୁ ତ୍ରାହି କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନର ବ୍ୟାପକ କାର୍ଯ୍ୟକ୍ରମ। ବହୁ ସଂଖ୍ୟାରେ ସାଧାରଣ ଲୋକ ମଧ୍ୟ ଏଥିରେ ସାମିଲ ହୋଇ କେନ୍ଦ୍ର ସରକାର ବିରୋଧରେ ନିଜ ଆକ୍ରୋଶ ପ୍ରକଟ କରିଛନ୍ତି। ବୁଦ୍ଧିଜୀବୀ ମହଲ ମଧ୍ୟ ସୋସିଆଲ ମିଡିଆରେ ନିଜ ମତ ରଖି ବିଜେଡିକୁ ସମର୍ଥନ ଓ କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

ବ୍ରହ୍ମପୁରରେ ବିଜେଡି ମହିଳା ମୋର୍ଚ୍ଚା ସାଙ୍ଗକୁ ବରିଷ୍ଠ ନେତୃବୃନ୍ଦ, ଯୁବ– ଛାତ୍ର ବିଜେଡି ନେତା ଓ କର୍ମୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୀତିର ସିଧାସଳଖ ପ୍ରଭାବ ଆମ ହାଣ୍ଡିଶାଳ ଉପରେ ପଡୁଛି। ଖାଇବା ତେଲର ଆକାଶଛୁଆଁ ଦର କଥା କୁହନ୍ତୁ କି ଏଲପିଜି ସିଲିଣ୍ଡର ଦର ୪୦୦ରୁ ବୃଦ୍ଧି ପାଇ ଏବେ ୧୦୦୦ ଟଙ୍କା ଉପରକୁ ହେବା କଥା କୁହନ୍ତୁ ଆମ ରନ୍ଧାଶାଳ ଉପରେ ପ୍ରଭାବ ପଡୁଥିବାରୁ ଆମେ ରାସ୍ତାକୁ ଓହ୍ଲାଇଛୁ ବୋଲି କହିଛନ୍ତି ମହିଳା ବିଜେଡି ନେତ୍ରୀଗଣ। ସୁଷମ ଖାଦ୍ୟ ଖାଇବୁ କେମିତି, ଗ୍ୟାସ୍ ହାଣ୍ଡି ଛାଡ଼ି ପୁଣି କାଠ ଚୁଲି ଜଳାଇବୁ କି ବୋଲି ପ୍ରଶ୍ନ କରିଛନ୍ତି ସେମାନେ। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଥିବା କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା।

ଛତ୍ରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ଏଲପିଜି ସିଲିଣ୍ଡର୍ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ମହିଳା ବିଜେଡି ନେତା ଓ କର୍ମୀ ଆନ୍ଦୋଳନ କରିଥିଲେ। ଦରଦାମ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇ ଥିଲା। ସବୁ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି କେନ୍ଦ୍ରର ମୋଦି ସରକାର ବିରୋଧୀ ଆକ୍ରୋଶ। ବ୍ୟାନର, ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ରାସ୍ତାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀର ମହିଳା। ସାଧାରଣ ଜନତା, ମାଆ ଓ ଭଉଣୀମାନଙ୍କୁ କେନ୍ଦ୍ର ସରକାର ଭଣ୍ଡାଇବା ଆଉ ଚଳିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଚ୍ଚ ସ୍ୱରରେ କହିଛନ୍ତି ନିର୍ବାଚନମଣ୍ଡଳୀର ମହିଳା। ଆଗାମୀ ଦିନରେ ବ୍ଲକ୍‌ସ୍ତରରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି। ରଙ୍ଗେଇଲୁଣ୍ଡା ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗୋପାଳପୁର ନିର୍ବାଚନମଣ୍ଡଳୀର ବିଜେଡି ନେତୃବୃନ୍ଦ। କେନ୍ଦ୍ର ସରକାର ତୁମ ଗରିବ ମାରଣନୀତି ଆଉ ଚଳିବ ନାହିଁ ବୋଲି କହି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ବରେ ଧରାକୋଟରେ ମହିଳା ବିଜେଡି ଓ ସାଧାରଣ ମହିଳାମାନେ ରାଲି କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଭିନ୍ନ ସ୍ଥାନରେ ବିଜେଡିର ନିର୍ବାଚିତ ଜନପ୍ରତିନିଧି, ମହିଳା ନେତ୍ରୀମାନେ ଏହାର ନେତୃତ୍ଵ ନେଇ ସାଧାରଣ ଲୋକଙ୍କ ଆକ୍ରୋଶ ପ୍ରତିଫଳିତ କରିଛନ୍ତି।

କନ୍ଧମାଳ ଜିଲ୍ଲାରେ ମଧ୍ୟ ମହିଳା ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଲ୍‌ପିଜି ସିଲିଣ୍ଡର, ପାଇପ୍, ଚୁଲା ସାଙ୍ଗକୁ କାଠ ଜାଳେଣୀ ବ୍ୟବହୃତ ହେଉଥିବା ମାଟି ବୁଲି ଆଗରେ ରଖି ଦରବୃଦ୍ଧିର ପ୍ରତିବାଦଦ କରିଛି ମହିଳା ବିଜେଡି।ଛି ଛି ଛି ଛି … କେନ୍ଦ୍ର ସରକାର ଡାଉନ୍ ଡାଉନ୍ … ଉଜ୍ଜଳ ଯୋଜନା, ଗ୍ୟାସ୍ ଜାଳିବା ମନା … ସ୍ଲୋଗାନରେ କମିଛି ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ। ଆଜି ବି ତୈଳ ଦର ବୃଦ୍ଧି ପାଇଛି, କେବେ ଲୋକଙ୍କୁ ଏଥିରୁ ତ୍ରାହି ମିଳୁଛି ତାହା ଦେଖିବା କଥା ବୋଲି କହିଛନ୍ତି କୋରାପୁଟ ଜିଲ୍ଲାର ମହିଳା ବିଜେଡି ନେତୃବୃନ୍ଦ। ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧିର ଦାଉ କେନ୍ଦ୍ର ସରକାର ଆଉ କେତେଦିନ ସାଧିବ, ବିଜେଡି ଏହାର ଜୋରଦାର ପ୍ରତିବାଦ କରିବ ବୋଲି ସ୍ପଷ୍ଟ ରୂପେ ପ୍ରଦର୍ଶନ କରି ଦେଇଛନ୍ତି ମାଲକାନଗିରି ଜିଲ୍ଲାର ମହିଳାଗଣ। ଗରିବ, ଆଦିବାସୀ ମହିଳାଙ୍କୁ ପ୍ରଥମେ ଗ୍ୟାସ୍ ହାଣ୍ଡିରେ ବିନା ଧୂଆଁରେ ରୋଷେଇ କରିବାର ପ୍ରଲୋଭନ ଦେଖାଇଲ, ଆଉ ଏବେ ଗ୍ୟାସ୍‌ ଦରବୃଦ୍ଧିର ନିଆଁରେ ସେମାନଙ୍କୁ ଜଳାଇ ଦେଉଛ ବୋଲି କଟୁ ସମାଲୋଚନା କରିଛନ୍ତି ନବରଙ୍ଗପୁର, ରାୟଗଡା ଭଳି ଆଦିବାସୀବହୁଳ ଜିଲ୍ଲାର ସାଧାରଣ ନାରୀ।

Comments are closed.