କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବନ୍ଦ କରି ହୀନମନ୍ୟତାର ପରିଚୟ ଦେଲେ ବିରୋଧୀ, ହିତାଧିକାରୀ ମହଲରେ ତୀବ୍ର ପ୍ରତିକ୍ରିୟା

ସମ୍ବଲପୁର : କୁଚିଣ୍ଡାରେ ବିଜେପି ଏବଂ କଂଗ୍ରେସ ମିଳିତ ଭାବେ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଭଣ୍ଡୁର କରିବାକୁ ଯାଇ ଗଣ୍ଡଗୋଳ ଭିଆଇଥିବା ବିରୋଧୀ ଗତକାଲି ବିଜେଡି ଉପରେ ଦୋଷାରୋପ କରି ବନ୍ଦ ଡାକରା ଦେଇଥିଲେ । ତେବେ , ଏହି ବନ୍ଦ ପାଳନ ବେଳେ ବିଏସ୍‌କେୱାଇ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନକୁ ବନ୍ଦ କରି ଦେଇଛନ୍ତି ଦୁଇ ବିରୋଧୀ ଦଳ । ଫଳରେ ଗରିବ ଲୋକଙ୍କ ଜୀବନର ପ୍ରଶ୍ନ ସହିତ ଜଡିତ କାର୍ଯ୍ୟକ୍ରମକୁ ବିରୋଧ କରିବା ଦ୍ଵାରା ହିତାଧିକାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ଏବଂ କଂଗ୍ରେସ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରି ଜନବିରୋଧୀ ଦଳର ପରିଚୟ ଦେବା ସହିତ ହୀନମାନସିକତାର ପରିଚୟ ଦେଇଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ବିଜେଡି ଏହାକୁ କଡା ନିନ୍ଦା କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିରୋଧୀ ବିଜେପି ଏବଂ କଂଗ୍ରେସ ଏହାକୁ ଭଣ୍ଡୁର କରିବାକୁ ସବୁ ପ୍ରକାର ପ୍ରଚେଷ୍ଟା କରି ବିଫଳ ହୋଇଥିଲେ । ହେଲେ ଏଥିରେ ସଫଳ ନ ହେବାରୁ ସଭା ବାହାରେ ଗଣ୍ଡଗୋଳ କରିଥିବା ନେଇ ବିଜେଡି ଅଭିଯୋଗ କରିଥିଲା । ଏପରିକି ବିଜେଡି କର୍ମୀଙ୍କ ଉପରକୁ ବୋତଲ ମାଡ କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ , ବିଜେଡି କର୍ମୀଙ୍କ ଉପରେ ପାଲଟା ଦୋଷ ଦେଇ ବୁଧବାର ଉଭୟ ବିଜେପି ଏବଂ କଂଗ୍ରେସ ମିଳିତ ଭାବେ କୁଚିଣ୍ଡା ବନ୍ଦ ଡାକରା ଦେଇଥିଲେ । ଏହି ସମୟରେ କୁଚିଣ୍ଡାର ଟାଉନ୍ ହଲ୍‌ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ପାଇଁ ହୋଇଥିବା କାର୍ଯ୍ୟକ୍ରମକୁ ବିରୋଧୀ ବନ୍ଦ କରି ଦେଇଛନ୍ତି । ଖାଲି ସେତିକି ନୁହେଁ , ଏହି କାର୍ଡ ବଣ୍ଟନ ପାଇଁ ଆସିଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧୀ ଦୀର୍ଘ ଘଣ୍ଟା ଧରି ଅଟକ ରଖିବାକୁ ସାଧାରଣ ଲୋକେ ହଜମ କରି ପାରୁନାହାନ୍ତି । ମନ୍ତ୍ରୀ ଶ୍ରୀମତି ସାହୁ ରହୁଥିବା ପୂର୍ତ ଡାକ ବଙ୍ଗଳାର ମୁଖ୍ୟ ଫାଟକକୁ ଅବରୋଧ କରି ବିରୋଧୀ ଦଳ ହୀନମାନସିକତାର ପରିଚୟ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ , ଲୋକଙ୍କ ସ୍ବାସ୍ଥ୍ୟ ତଥା ଜୀବନ ସହିତ ଜଡିତ ସ୍କାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ କରିବା ଦ୍ୱାରା ବିରୋଧୀଙ୍କ ଗରିବ ମାରଣନୀତି ପଦାରେ ପଡିଛି ବୋଲି ବିଜେଡି ଅଭିଯୋଗ କରିଛି । ଗୋଟିଏ ପଟେ , ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରି ଗରିବଙ୍କୁ କଳବଳ କରୁଥିବା ବିଜେପି ବର୍ତ୍ତମାନ ସ୍ମାର୍ଟ କାର୍ଡ ବଣ୍ଟନକୁ ବିରୋଧ କରି ଗରିବଙ୍କ ଜୀବନ ସହ ଖେଳୁଛି ବୋଲି ବିଧାୟକ କିଶୋର ନାଏକ ଅଭିଯୋଗ କରିଛନ୍ତି ।

Comments are closed.