ଗୋପାଳପୁର ନିର୍ବାଚନମଣ୍ଡଳୀ ପଞ୍ଚାୟତ ନିର୍ବାଚନ ସଜବାଜ : ବିଜେଡି ପଟକୁ ଢଳୁଛି ଦୃଶ୍ୟପଟ୍ଟ

ଲେଖକ: ପ୍ରତିଭା ନେପାକ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପଞ୍ଚାୟତ ନିର୍ବାଚନ ସକାଶେ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ଲଢ଼େଇ ଆଡ଼କୁ ଆଉ ପାଦେ ଆଗେଇ ଯାଇଛି। ଏଥିସହ ଭୋଟରଙ୍କୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସଜବାଜ ହେଲେଣି। ତେବେ ଭୋଟଦାନ ଆଉ କିଛି ମାସ ବାକି ଥିଲେ ହେଁ ଗୋପାଳପୁର ନିର୍ବାଚନମଣ୍ଡଳୀର ଦୃଶ୍ୟପଟ୍ଟ ଲଗାତର ଶାସକ ଦଳ ପଟକୁ ଢଳୁଥିବା ସ୍ପଷ୍ଟ ଚିତ୍ର ମିଳୁଛି। ବିରୋଧୀ ଦଳ ବିଧାୟକଙ୍କ ଅନୁପସ୍ଥିତିକୁ ପ୍ରସଙ୍ଗ କରୁଥିବା ବେଳେ କିନ୍ତୁ ଶାସକ ବିଜେଡି ଦଳ ତୃଣମୂଳସ୍ତରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଜୋନ୍‌ ସ୍ତର, ସାଧାରଣ କର୍ମୀଙ୍କ ଠାରୁ ମହିଳା- ଯୁବ- ଛାତ୍ର ଗୋଷ୍ଠୀଙ୍କ ସମେତ ଚାଷୀ, ମୂଲିଆଙ୍କୁ ସଙ୍ଗଠିତ କରି ପଞ୍ଚାୟତ ଲଢ଼େଇ ନିମନ୍ତେ ବ୍ୟବସ୍ଥିତ, ସଙ୍ଗଠିତ ଓ ଏକତ୍ରିତ ଭାବେ ଆଗେଇ ଚାଲିଛି। ଅନ୍ୟ ନିର୍ବାଚନମଣ୍ଡଳୀର ବ୍ୟତିକ୍ରମ ଭଳି ଏଠି ସମସ୍ତ କର୍ମୀ ଓ ନେତା ସଂଘବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଙ୍ଗଠନିକ ଓ ବିକାଶର ମନ୍ତ୍ରରୁ ପ୍ରେରଣା ପାଇ ସାଧାରଣ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତିକୁ ଜୋରଦାର କରିଲେଣି। ଅପରପକ୍ଷରେ ପ୍ରମୁଖ ବିରୋଧୀ ରାଜନୈତିକ ଦଳର ଦେଖାଣିଆ ରାଜନୀତିକୁ କାଟୁ କରି ଲୋକଙ୍କ ବାସ୍ତବ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବା ସାଙ୍ଗକୁ ଆରପଟେ ରକ୍ତଦାନ ଶିବିର ଭଳି ସାମାଜିକ ସେବା, ବିଭିନ୍ନ ସ୍ତରରେ ସାଙ୍ଗଠନିକ ବୈଠକ ଜରିଆରେ ରଣନୀତି ନିର୍ଦ୍ଧାରଣ କରି ଆଗେଇବାଟା ବିଜେଡି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଚାଲିଛି।

ଗୋପାଳପୁର ନିର୍ବାଚନମଣ୍ଡଳୀ ହେଉଛି ପ୍ରମୁଖ ବିରୋଧୀ ପାର୍ଟି ବିଜେପି ଜିଲ୍ଲା ସଭାପତିଙ୍କ ଅଞ୍ଚଳ। ହେଲେ ଏଯାବତ୍ ଦଳ ନିର୍ବାଚନୀ ରଣକୌଶଳ ନିର୍ଦ୍ଧାରଣ ମଧ୍ୟ କରିପାରି ନାହିଁ। ନିକଟରେ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗରେ ଦଳ ବିଜେଡିକୁ ଟାଣିଓଟାରି ନିନ୍ଦିତ କରିବା ଉଦ୍ଦେଶ୍ୟରେ ବ୍ଲକ୍ ଅଫିସ୍ ଆଗରେ ବିକ୍ଷୋଭ କରିଥିଲା। ହେଲେ ତାହା ଫିକା ପଡ଼ି ଯାଇଥିଲା। ଗୋଟିଏ ପଟେ ଜନସମର୍ଥନ ତ ମିଳିଲାନି। ଆରପଟେ ଖୋଦ୍ ମମିତାଙ୍କ ପିତାମାତାଙ୍କ ବୟାନ ଯେ “ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ତାଙ୍କ ଝିଅର ଚରିତ୍ର ସଂହାର କରି ରାଜନୀତି କରା ନଯାଉ” ଫଳରେ ବିଜେପିର ଏହି ଆନ୍ଦୋଳନ ରାଜନୀତି ଫେଲ୍ ମାରିଥିଲା। ଅପରପକ୍ଷରେ ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ କେବଳ ଯେ ଜନମାନସକୁ ଛୁଇଁଥିଲା ତା ନୁହେଁ କେନ୍ଦ୍ର ସରକାର ତୈଳ ଦର ଉପରେ ଅବକାରୀ ଟିକସ ହ୍ରାସ କରିବାକୁ ବାଧ୍ୟ ହୋଇଥିଲେ। ତା ଉପରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ଭାଟ୍ ହ୍ରାସ କରି ଜନସାଧାରଣଙ୍କୁ ଆହୁରି ଅଧିକ ଆଶ୍ବସ୍ତ କରିଥିଲେ। ଫଳରେ ବିଜେଡିର ଆନ୍ଦୋଳନ ସଫଳ ତ ହୋଇଥିଲା, ତା ସହ ରାଜ୍ୟବାସୀଙ୍କୁ ଦରବୃଦ୍ଧିର କୋରଡ଼ା ମାଡ଼ରୁ ତ୍ରାହି ଦେବାକୁ ସକ୍ଷମ ହୋଇଥିଲା।

ଏବେ ଯଦି ସାଙ୍ଗଠନିକ କଥା ଦେଖିବା ଗୋଟିଏ ଦୁଇଟା ଆନ୍ଦୋଳନ ଓ ବୈଠକ ବ୍ୟତୀତ ନା କଂଗ୍ରେସ ନା ବିଜେପି ଏ ଦିଗରେ ଅଧିକ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିଛି। କିନ୍ତୁ ବିଜେଡି ଗୋଟିଏ ପରେ ଗୋଟିଏ ସାଙ୍ଗଠନିକ ବୈଠକ କରି ପଞ୍ଚାୟତ ଲଢ଼େଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ବିଜୟ ସୁନିଶ୍ଚିତ କରିବାକୁ ପାଦେ ପାଦେ ଆଗକୁ ବଢ଼ିଚାଲିଛି। ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସ୍‌ଡି ତଥା ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସଙ୍କ ତତ୍ତ୍ୱାବଧାନରେ ବିଜେଡିର ସମସ୍ତ ବର୍ଗର ନେତୃବୃନ୍ଦ ବିଜୟ ଲକ୍ଷ୍ୟ ନେଇ କର୍ମୀଙ୍କୁ ଅଧିକ ସଙ୍ଗଠିତ କରି ବିରୋଧୀଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ହୀନ ରାଜନୀତି ନୁହେଁ, ବିକାଶର ମନ୍ତ୍ର ସାଙ୍ଗକୁ ଉନ୍ନୟନମୂଳକ ଯୋଜନାର ସୁଫଳରୁ ଯେପରି କେହି ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହେବେ ତାହାକୁ ଫୋକସ୍ କରିଛି ବିଜେଡି। ତୃଣମୂଳସ୍ତରରେ କର୍ମୀ ଓ ସାଧାରଣ ଜନତାଙ୍କ ସହ ଯୋଡ଼ି ହେବା ପାଇଁ ଦଳୀୟ ସଙ୍ଗଠନକୁ ମାଧ୍ୟମ କରିଛନ୍ତି ଶାସକ ଦଳର ନେତୃବୃନ୍ଦ। ବିଜେଡି ଏବେ ଅନ୍ୟ ଯେକୌଣସି ପାର୍ଟି ଅପେକ୍ଷା ପଞ୍ଚାୟତ ନିର୍ବାଚନ ପାଇଁ ଅଧିକ ସଙ୍ଗଠିତ ଭାବେ ପ୍ରସ୍ତୁତ ହେଲାଣି। ଫଳସ୍ବରୂପ ସାଧାରଣ ମତଦାତାଙ୍କ ମନୋଭାବ ଶାସକ ଦଳ ବିଜେଡି ଆଡ଼କୁ ଢଳିବାରେ ଲାଗିଛି।

ଗ୍ରାମାଞ୍ଚଳ ସଙ୍ଗଠନକୁ ଚଳଚଞ୍ଚଳ ତଥା ଅଧିକ ସକ୍ରିୟକରିବା ଉଦ୍ଦେଶ୍ୟରେ ପ୍ରଥମେ ୫୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ବିଜେଡି ଯୁବ ଓ ଛାତ୍ର ସାଙ୍ଗଠନିକ ବୈଠକ କନିଷି ଠାରେ ହୋଇଥିଲା। ଏହାପରେ ୫୪ ନମ୍ବର ଜୋନ୍‌ର ଯୁବ ଛାତ୍ର ସମାବେଶ ଚନ୍ଦ୍ରଚୁଡ଼େଶ୍ଵର ମନ୍ଦିରରେ ହୋଇଥିଲା। ଏଥିସହ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ସ୍ପଷ୍ଟ ରୂପେ ପଞ୍ଚାୟତ ନିର୍ବାଚନୀ ବିଗୁଲ ବଜାଇ ସାରିଛି। କେବଳ ମିଥ୍ୟା ପ୍ରତିଶ୍ରୁତି ବା ଛଳନାଭରା ରାଜନୀତି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ହେଉଥିବା ଜନହିତକର ଯୋଜନା ସବୁ ତୃଣମୂଳସ୍ତରରେ କିପରି ପହଞ୍ଚିବ ତାହା ଉପରେ ଫୋକସ୍ କରୁଛନ୍ତି ଦଳୀୟ ନେତୃବୃନ୍ଦ। ଲୋକେ ଯେତେବେଳେ ଆପେ ଆପେ ସରକାରଙ୍କ ଜନକଲ୍ୟାଣ ସ୍କିମ୍ ସବୁରୁ ଉପକୃତ ହେବେ ସେମାନେ ନିଶ୍ଚିତ ଭାବେ ବିଜେଡିକୁ ହିଁ ସମର୍ଥନ କରିବେ… ଏଇ ମଜବୁତ ଚିନ୍ତାଧାରା ସହ ଆଗେଇ ଚାଲିଛନ୍ତି ବିଜେଡି ନେତାଗଣ। ଏଥିସହ ଭୋଟ ଯୁଦ୍ଧରେ ବିରୋଧୀଙ୍କ ସମ୍ମୁଖୀନ ହୋଇ ସେମାନଙ୍କୁ ପରାହତ କରିବା ପାଇଁ ଟିପ୍‌ସ ଦେଇ ଆସୁଛନ୍ତି ଡ. ଗୋପବନ୍ଧୁ ଦାସ। ଆଗାମୀ ଦିନରେ ସବୁ ସ୍ତରରେ ବିଜେଡି ଯେପରି ଆହୁରି ଉତ୍ତମ ପ୍ରଦର୍ଶନ କରିବ ସେନେଇ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ସମ୍ବୋଧନ କରିଥିଲେ ସେ। ପୁଣି ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସହବନ୍ଧିତ ହୋଇଥିଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ସମାବେଶରେ ଦେଖିବାକୁ ମିଳିଥିଲା ବିଜେଡି ଛାମୁଆ ସଙ୍ଗଠନ ପ୍ରତି କିଭଳି ତୃଣମୂଳ ସ୍ତରରେ ଓ ସମାଜର ବିଭିନ୍ନ ବର୍ଗରେ କିଭଳି ସମର୍ଥନ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି।

ପଞ୍ଚାୟତ ନିର୍ବାଚନ ସମୟ ଧିରେ ଧିରେ ନିକଟତର ହୋଇ ଆସୁଛି। ଏହି ସମୟରେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତଏହି ନିର୍ବାଚନ ମଣ୍ଡଳୀର ପଞ୍ଚାୟତମାନଙ୍କରେ ମଧ୍ୟ ସମାନ ରଣନୀତି ସହ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛି ବିଜେଡି। ଆହୁରି ମଧ୍ୟ ବଡ଼କୁଶସ୍ଥଳୀ ପଞ୍ଚାୟତ କାର୍ଯ୍ୟାଳୟରେ ସାମାଜିକ ସେବା ଅନ୍ତର୍ଗତ ରକ୍ତଦାନ ଶିବିରରେ ୨ଶହ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହେଉ ବା ରଣ୍ଢା ଗ୍ରାମର ମୁକ୍ତେଶ୍ୱର ପୀଠରେ କୃଷକଙ୍କ ସମେତ ଛାତ୍ର, ଯୁବ ଓ ମହିଳାଙ୍କ ରକ୍ତଦାନ ଶିବିରରେ ପ୍ରାୟ ଦେଢ଼ଶହ ୟୁନିଟ୍ ରକ୍ତ ସଂଗ୍ରହ ଆଦି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଜନତାଙ୍କ ସହ ଅଧିକରୁ ଅଧିକ ଯୋଡ଼ି ହେଉଛି ବିଜେଡି। ଆଗାମୀ ଦିନରେ ଏହି ନିର୍ବାଚନମଣ୍ଡଳୀର ଅନ୍ୟ ପାର୍ଟିର ବହୁ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାରେ ପ୍ରେରିତ ହୋଇ ଶୀଘ୍ର ବିଜେଡିରେ ସାମିଲ ହେବାର ପ୍ରସ୍ତୁତି କରୁଥିବା ସୂଚନା ମିଳିଛି। ଏହା ବିଜେଡିକୁ ତ ଅଧିକ ସଶକ୍ତ କରିବ, ଏଥିସହ ଅନ୍ୟ ଦଳର ତୁଚ୍ଛ ରାଜନୀତିକୁ ପଛରେ ପକାଇ ରାଜ୍ୟର ଶାସକ ବିଜୁ ଜନତା ଦଳ ପ୍ରତି ସମର୍ଥନ ଅଧିକ ବ୍ୟାପକ କରିବ ତାହା ନିଶ୍ଚିତ।

Comments are closed.