ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା, ଶତପ୍ରତିଶତ ଲକ୍ଷ୍ୟ ହାସଲରେ ରାଜ୍ୟରେ ପ୍ରଥମ ହେଲା ସମ୍ବଲପୁର

ଶୁଭେଚ୍ଛା ଜଣାଇଲେ ଅତିରିକ୍ତ ଶାସନ ସଚିବ

ସମ୍ବଲପୁର : ସଫଳ ପ୍ରଶାସନିକ କାର୍ଯ୍ୟଶୈଳୀର ପରିଣାମ । କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା ହାସଲ କରିଛି ସମ୍ବଲପୁର । ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଶତପ୍ରତିଶତ ଟାର୍ଗେଟ୍ ପୂରଣ କରି ସମ୍ବଲପୁର ସାରା ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ଉଭା ହୋଇଛି । ଆଉ ଏହି ସଫଳତା ପାଇଁ ଅତିରିକ୍ତ ଶାସନ ସଚିବ ରାଜକୁମାର ଶର୍ମା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଗତକାଲି ସୁଦ୍ଧା ଦ୍ବିତୀୟ ଡୋଜ୍ କୋଭିଡ୍ ଟିକାକରଣ ୭୦ ପ୍ରତିଶତ ସଂପୂର୍ଣ ହୋଇଥିବା ଜଣାପଡିଛି ।

ସମ୍ବଲପୁର ଜିଲ୍ଲାରେ ଟିକାକରଣ ଆରମ୍ଭ ହେବା ଦିନରୁ ହିଁ ସାସ୍ଥ୍ୟ ବିଭାଗ ସମେତ ସାରା ପ୍ରଶାସନ ଏହାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସିଥିଲା । ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଟିକାକରଣ ପାଇଁ ପ୍ରଶାସନ ଝାଳନାଳ ହୋଇଯାଇଥିଲା । ତେବେ , କେନ୍ଦ୍ର ସରକାର ଟିକା ଯୋଗାଇବାରେ ବାରମ୍ବାର ବିଫଳ ହେଉଥିବାରୁ ଗତ ଅଗଷ୍ଟ ମାସ ସୁଦ୍ଧା ସବୁଠି ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଥିଲା । ହେଲେ ଟିକା ଯୋଗାଣ ସ୍ବାଭାବିକ ହେବା ପରେ ପ୍ରଶାସନ ପରା ଦମ୍‌ରେ ଲାଗି ପଡିଥିଲା ।

ତେବେ , ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୮ ଲକ୍ଷ ୨୫ ହଜାର ୯୭୩ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଆଉ ଏହି ଲକ୍ଷ୍ୟକୁ ହାସଲ କରିବାକୁ ପ୍ରଶାସନ ତାର ସବୁ ବଳ ଖଟାଇ ଦେଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଆଶା , ଅଙ୍ଗନୱାଡି କର୍ମୀଙ୍କ ଠାରୁ ଆରମ୍ଭ କରି ସାସ୍ଥ୍ୟ ବିଭାଗର ପୁରା ଟିମ୍ ଏବଂ ପ୍ରଶାସନ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଆଉ ଗତକାଲି ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବା ସହ ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ସମ୍ବଲପୁର ଉଭା ହୋଇଛି ।

ଆଉ ପ୍ରଥମ ଡୋଜ୍ ପାଇବାକୁ ଜିଲ୍ଲାରେ କେହି ବାକିନଥିବା ସାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ଏପରିକି ରେଢାଖୋଲ ଏନ୍‌ଏସିରେ ସର୍ବାଧିକ ୧୫୪.୬୨ ପ୍ରତିଶତ ଟିକାକରଣ ହୋଇଥିବା ବେଳେ କୁଚିଣ୍ଡା ଏନ୍‌ଏସିରେ ୧୨୦.୭୨ ପ୍ରତିଶତ , ସମ୍ବଲପୁର ମହାନଗର ନିଗମରେ ୧୦୬.୯୬ ପ୍ରତିଶତ , ମାନେଶ୍ବରରେ ୧୦୩ , ୫୦ ପ୍ରତିଶତ ଏବଂ ଧନକଉଡାରେ ୧୦୦.୪୩ ପ୍ରତିଶତ ପୂରଣ ହୋଇଥିବା ଜଣାପଡିଛି ।

ଅପରପକ୍ଷେ , ବର୍ତ୍ତମାନ ସୁଦ୍ଧା ଦ୍ବିତୀୟ ଡୋଜ୍ ଟିକାକରଣ ମଧ୍ୟ ୭୦ ପ୍ରତିଶତ ଶେଷ ହୋଇସାରିଛି । ଏହି ସଫଳତା ପାଇଁ ଗତକାଲି ଅତିରିକ୍ତ ଶାସନ ସଚିବ ରାଜକୁମାର ଶର୍ମା ଜିଲ୍ଲା ସାସ୍ଥ୍ୟ ବିଭାଗକୁ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ , କେବଳ ଭୁବନେଶ୍ବର ମହାନଗରରେ ହିଁ ଏହା ପୂର୍ବରୁ ଶତ ପ୍ରତିଶତ ଟିକାକରଣ ଶେଷ ହୋଇଛି । କିନ୍ତୁ , ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହୋଇନାହିଁ । ତେଣୁ , ଜିଲ୍ଲା ଓ୍ବାରୀ ହିସାବରେ ସମ୍ବଲପୁର ଜିଲ୍ଲା ଏହି ଲକ୍ଷ୍ୟ ହାସଲରେ ପ୍ରଥମ ଜିଲ୍ଲା ଭାବେ ବିବେଚିତ ହୋଇଛି ।

Comments are closed.