ପଂଚାୟତ ନିର୍ବାଚନ ଦୃଷ୍ଟିରୁ ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର- ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ରାଜ୍ୟ ନିର୍ବାଚନ କମିଶନର ନିଷେଧାଦେଶ ଜାରି କରିଛନ୍ତି । ମତଦାନର ୪୮ ଘଣ୍ଟା ପୂର୍ବରୁ ଓ ନିର୍ବାଚନ ପରଦିନ ଯାଏଁ ମଦ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ଭୋଟ୍ ହେବାକୁ ଥିବା ଅଂଚଳରେ ହୋଟେଲ, ରେଷ୍ଟୁରାଂଟ ଓ ଦୋକାନରେ ମଦ ବିକ୍ରିକୁ ସଂପୂର୍ଣ୍ଣ ମନା ହୋଇଛି ।

ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍ ନିକଟରେ କେହି ବୁଲିପାରିବେ ନାହିଁ । ଫେବ୍ରୁଆରି ୧୪ରୁ ମାର୍ଚ୍ଚ ପହିଲା ଯାଏ ଅନୁମତି ନ ଥିବା ଲୋକଙ୍କୁ ବୁଥ୍ ନିକଟକୁ ଯିବାକୁ ବାରଣ କରାଯାଇଛି । କେବଳ ନିର୍ବାଚନ ଅଧିକାରୀ, ପୋଲିଂ ଅଫିସର ଓ ପୋଲିସକୁ ବୁଥ ନିକଟକୁ ଯିବାକୁ ଅନୁମତି ମିଳିବ ।

ନିର୍ବାଚନ ଦିନ ସଂପୃକ୍ତ ଅଂଚଳରେ ସବୈତନିକ ଛୁଟି ଘୋଷଣା ସହ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନକୁ ଛୁଟି ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ନିର୍ବାଚନ କମିଶନର କହିଛନ୍ତି । ପୋଲିଂ ବୁଥଠାରୁ ଦୂରରେ ରହୁଥିବା କର୍ମଚାରୀଙ୍କୁ ୩ ଦିନ ସ୍ୱତନ୍ତ୍ର ସିଏଲ୍ ଦେବାକୁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କୁ କହିଛନ୍ତି । ମତଦାନ ହେଉଥିବା ଅଂଚଳରେ କୋର୍ଟକଚେରୀ ଥିଲେ, ତାହା ଭୋଟ୍ ଦିନ ବନ୍ଦ ରହିବ ।

Comments are closed.