ପଣ୍ଡକିପାଲିରେ ନିର୍ବାଚନୀ ହିଂସାକାଣ୍ଡ, ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବରଗଡ଼ : ସୋହେଲା ବ୍ଲକରେ ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ବିଜେପି ଦଳ ପକ୍ଷରୁ ବିଜେଡ଼ି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଆକ୍ରମଣରେ ଗୁରୁତର ବିଜେଡ଼ି କର୍ମୀଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ଓ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋହେଲାରୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ସ୍ଥିତ ବଡ ମେଡିକାଲକୁ ପଠାଯାଇଛି ।

ସୂଚନା ମତେ ଚତୁର୍ଥ ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନ କେବଳ ସୋହେଲା ବ୍ଲକରେ ହୋଇଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିଲା ମତଦାନ । ମାତ୍ର ସୋହେଲା ବ୍ଲକ ଅନ୍ତର୍ଗତ ପଣ୍ଡକିପାଲି ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ହିଂସା ସହିତ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ପଣ୍ଡକିପାଲି ବୁଥରେ ବିଜେପି ଦଳ ପକ୍ଷରୁ ବିଜେଡ଼ି କର୍ମୀଙ୍କୁ ମାରଣାତ୍ମକ ଆକ୍ରମଣ କରାଯାଇଥିବା ବେଳେ ବିଜେଡ଼ି କର୍ମୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବିଜେଡ଼ି କର୍ମୀ ପହିଲ ସାହୁଙ୍କୁ ବିଜେପି ଦଳର ୮ ଜଣ କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବାବେଳେ, ପହିଲ ସାହୁ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ତାଙ୍କର ଗୋଡ଼ ଏବଂ ହାତ ଭାଙ୍ଗିଯାଇଥିବାବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ ପରେ ଆମ୍ବୁଲେନ୍ସ ଯୋଗେ ବୁର୍ଲା ବଡ଼ମେଡିକାଲ କୁ ପଠାଯାଇଛି । ବିଜେଡ଼ି ଦଳର କର୍ମୀ ମାନେ ଏହି ଘଟଣାରେ ଉତ୍ୟକ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ପଣ୍ଡକିପାଲି ଗ୍ରାମରେ ପରିସ୍ଥିତି ଉତ୍ତେଜନା ଦେଖାଦେଇଛି।

Comments are closed.