ପଶ୍ଚିମରେ ବିଜେଡିର ଜବରଦସ୍ତ ବଦଲା ୩ ଜିଲ୍ଲାରେ ବିଜେପି ଖାତା ଖୋଲିବା ନେଇ ଆଶଙ୍କା

ସମ୍ବଲପୁର : ସୁନ୍ଦରଗଡରୁ ସୋନପୁର, ଦେବଗଡରୁ ଧର୍ମଗଡ… ସାରା ପଶ୍ଚିମ ଓଡିଶାରେ ଶଙ୍ଖନାଦ। ଗତ ୨୦୧୭ ପଞ୍ଚାୟତ ଭୋଟ୍ ପରାଜୟର ଜବରଦସ୍ତ ବଦଲା ନେବା ପରିସ୍ଥିତିରେ ପହଞ୍ଚିଯାଇଛି ବିଜେଡି। ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଏଭଳି କିଛି ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ମିଳିଥିବା ଚିତ୍ର ସାରା ପଶ୍ଚିମ ଓଡିଶାରେ ବିଜେଡିର ଅପୂର୍ବ ବିଜୟ ହେବା ନେଇ ଏକପ୍ରକାର ସ୍ପଷ୍ଟ ଇଙ୍ଗିତ ଦେଲାଣି। ଏପରିକି ସ୍ଥିତି ଏପରି ହୋଇଛି ଯେ, ଦେବଗଡ, ସୋନପୁର ଏବଂ ନୂଆପଡା ଜିଲ୍ଲାରେ ବିଜେପି ବର୍ତ୍ତମାନ ସୁଦ୍ଧା ଖାତା ବି ଖୋଲିପାରିନାହିଁ। ମୋଟ୍ ଉପରେ କହିବାକୁ ଗଲେ ସାରା ପଶ୍ଚିମ ଓଡିଶାର ଗୋଟିଏ ବି ଜିଲ୍ଲାରେ ବିଜେପି ପରିଷଦ ଗଠନ କରିବାରେ ସକ୍ଷମ ହେବା ଅବସ୍ଥାରେ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା, କଂଗ୍ରେସ କୌଣସି ଗୋଟିଏ ଆସନ ବି ନେବା ଅବସ୍ଥାରେ ନାହିଁ।

ବରଗଡ ଜିଲ୍ଲାର ୩୪ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଆଜି ଚାଲିଥିବା ଗଣତି ମଧ୍ୟରୁ ୯ଟିରେ ବିଜେଡି ଆଗୁଆ ଥିବା ବେଳେ ମାତ୍ର ୩ସିଟରେ ବିଜେପି ଆଗୁଆ ରହିଛି। ବୌଦ୍ଧ ଜିଲ୍ଲାରେ ମୋଟ୍ ୯ ଆସନ ମଧ୍ୟରୁ ଆଜିର ଗଣତିରେ ୨ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ମାତ୍ର ଗୋଟିଏ ଆସନରେ ବିଜେପି ଆଗୁଆ ରହିଛି। ଦେବଗଡ ଜିଲ୍ଲାର ୭ ଆସନ ମଧ୍ୟରୁ ୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ଖାତା ବି ଖୋଲି ପାରିନାହାନ୍ତି। ଝାରସୁଗୁଡା ଜିଲ୍ଲାର ମୋଟ୍ ୯ ଆସନ ମଧ୍ୟରୁ ଆଜି ଚାଲିଥିବା ଗଣତିରେ ୫ଟି ଯାକ ଆସନ ବିଜେଡି କବଜାକୁ ଯିବା ଏକପ୍ରକାର ସ୍ପଷ୍ଟ ହେବାରେ ଲାଗିଛି। ୩୬ ଆସନ ବିଶିଷ୍ଟ କଳାହାଣ୍ଡି ଜିଲ୍ଲାରେ ଆଜିର ଗଣତିରେ ୯ଟିରେ ବିଜେଡି ଆଗୁଆ ଥିବା ବେଳେ ୪ଟିରେ ବିଜେପି ଆଗୁଆ ରହିଛି। ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଗତ ୨୦୧୭ରେ ସମ୍ବଲପୁର ଜିଲ୍ଲାର ୧୮ ଆସନ ମଧ୍ୟରୁ ୧୩ଟି ଆସନ ଅକ୍ତିଆର କରିଥିବା ବିଜେପି ମାତ୍ର ଗୋଟିଏ ଆସନରେ ହିଁ ଆଗୁଆ ରହିଛି। ଏଠାରେ ଆଜିର ଗଣତିରେ ୮ଟି ଆସନରେ ବିଜୟ ଅଭିମୁଖେ ଅଗ୍ରସର ହେଉଛି।

ସୁନ୍ଦରଗଡ ଜିଲ୍ଲାର ୩୫ ଆସନ ମଧ୍ୟରୁ ଆଜିର ଗଣତିରେ ୧୪ ରେ ବିଜେଡି ଆଗୁଆ ଥିବା ବେଳେ ମାତ୍ର ଗୋଟିଏ ଆସନରେ ବିଜେପି ଆଗୁଆ ରହିଛି। ସୋନପୁର ଜିଲ୍ଲାର ୧୩ ଆସନ ମଧ୍ୟରୁ ଆଜିର ଗଣତିରେ ସମସ୍ତ ୬ ଆସନ ବିଜେଡି କବଜାକୁ ଯାଉଥିବା ବେଳେ ବିଜେପି କିମ୍ବା କଂଗ୍ରେସ ଖାତା ବି ଖୋଲି ପାରିନାହାନ୍ତି। ସେହିପରି ନୂଆପଡା ଜିଲ୍ଲାରେ ମୋଟ ୧୪ ଆସନ ମଧ୍ୟରୁ ଆଜିର ୫ଟିର ଗଣତିରେ ସମସ୍ତ ଆସନକୁ ବିଜେଡି ଦଖଲ କରିବା ସ୍ଥିତିରେ ରହିଛି।

ଗୁରୁତ୍ବପୂର୍ଣ କଥା ହେଲା ଯେ, ଗତ ୨୦୧୭ରେ ପଶ୍ଚିମ ଓଡିଶାର ଏକମାତ୍ର ଜିଲ୍ଲା ଭାବେ ଝାରସୁଗୁଡା ଜିଲ୍ଲାରେ କଂଗ୍ରେସ ୯ରୁ ୮ ଆସନ ଅଧିକାର କରି ପରିଷଦ ଗଠନ କରିଥିବା ବେଳେ ଏଥର ଖାତା ଖୋଲିବାରେ ବି ସମର୍ଥ ହେଉନାହିଁ। ସେପଟେ, ଗତ ଥର ପରିଷଦ ଗଠନ କରି ପଶ୍ଚିମ ଓଡିଶାକୁ ନିଜର ଗଡ ଭାବେ ଆଖ୍ୟା ଦେଇଥିବା ବିଜେପି ଏଥର ସବୁଠୁ ଧୂଳି ଚାଟିବାକୁ ଲାଗିଲାଣି।

Comments are closed.