ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବ୍ରହ୍ମପୁର ମହାନଗରବାସୀଙ୍କ କୃତଜ୍ଞତା: ମେୟର୍ ପଦ ସମେତ ୪୨ରୁ ୩୦ ୱାର୍ଡରେ ବିଜେଡି ବିଜୟୀ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ଯେପରି ପୂର୍ବାପେକ୍ଷା ଅଧିକ ସଫଳତା ହାସଲ କରିବାର ରେକର୍ଡ ବିଜେଡି ଦୋହରାଇଥିଲା, ପୌର ନିର୍ବାଚନରେ ମଧ୍ୟ ପ୍ରାୟ ସେହି ସଫଳତାର ପୁନରାବୃତ୍ତି କରି ନିଜ ଦବଦବା ବଜାୟ ରଖିଛି ଶାସକ ଦଳ। ବିଶେଷ କରି ବ୍ରହ୍ମପୁର ମହାନଗର ନିର୍ବାଚନରେ କେବଳ ଯେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ତା ନୁହେଁ, ପୂର୍ବ ବର୍ଷ ତୁଳନାରେ ଅଧିକ ୱାର୍ଡରେ ବିଜୟ ଲାଭ କରି ନିଜକୁ ମହାନଗରବାସୀଙ୍କ ପସନ୍ଦର ଦଳ ଭାବେ ପୁନଃପ୍ରତିଷ୍ଠା କରିପାରିଛି। ବ୍ରହ୍ମପୁର ମହାନଗରର ମୋଟ ୪୨ଟି ୱାର୍ଡରୁ ବିଜେଡି ଦୁଇ ତୃତୀୟାଂଶରୁ ମଧ୍ୟ ଅଧିକ ଅର୍ଥାତ୍ ୩୦ଟି ୱାର୍ଡରେ ବାଜିମାତ୍ କରିଛି। ବିଜେପି ୭, କଂଗ୍ରେସ ମାତ୍ର ଗୋଟିଏ, ସ୍ୱାଧୀନ ପ୍ରାର୍ଥୀ ୪ଟି ୱାର୍ଡରେ ଜିତିଛନ୍ତି। ଏପରିକି ଭୋଟଗ୍ରହଣ ପୂର୍ବରୁ ହିଁ ୩ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ବୀ ରହିବାରୁ ଏଭଳି ଫଳାଫଳର ସଙ୍କେତ ମିଳି ସାରିଥିଲା। ଆଉ ଆଜି ଭୋଟ ଗଣତି ସହ ଫଳ ପ୍ରକାଶନ ପରେ ତାହା ସ୍ପଷ୍ଟ ହୋଇଛି ଯେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଶମ ସହର ପାଇଁ ଉନ୍ନୟନର ଯେଉଁ ଉପହାର ଭେଟି ଦେଇଥିଲେ , ମହାନଗରରେ ପ୍ରଗତିର ଯେଉଁ ଧାରା ବିଜେଡି ସରକାର ଅମଳରେ ଆରମ୍ଭ ହୋଇଛି ତାହାକୁ ମହାନଗରବାସୀ ପସନ୍ଦ କରିଛନ୍ତି ଆଉ ପ୍ରତିବଦଳରେ ମୁଖ୍ୟମନ୍ତ୍ରୀଙ୍କ ବିକାଶର ସ୍ବପ୍ନକୁ ସାକାର କରିବାକୁ ବିଜେଡିକୁ ସ୍ପଷ୍ଟ ବହୁମତରେ ବିଜୟୀ କରାଇଛନ୍ତି। ଏପରିକି ପ୍ରଥମ ଥର ହେଉଥିବା ସିଧାସଳଖ ମେୟର୍ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥିନୀଙ୍କୁ ବିପୁଳ ସମର୍ଥନ ଜଣାଇଛନ୍ତି ବ୍ରହ୍ମପୁର ବାସିନ୍ଦା।

ମନୋନୟନପତ୍ର ଦାଖଲ ବେଳରୁ ଦେଖିଲେ ବିଜେଡି ପ୍ରତି କିଭଳି ଜନସମର୍ଥନ ନିର୍ବାଚନ ଆଗରୁ ରହିଥିଲା ତାହା ସ୍ପଷ୍ଟ ଥିଲା। କେବଳ ବିଜେଡି ସମସ୍ତ ୪୨ଟି ଆସନରେ ପ୍ରାର୍ଥୀ ଦେଇପାରିଥିଲା। ବିଜେପି ୪୧ଟି ଓ କଂଗ୍ରେସ ୨୯ଟି ୱାର୍ଡରେ ପ୍ରାର୍ଥୀ ଦେଇଥିଲେ ହେଁ ପରେ ଉଭୟ ଦଳର କିଛି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଥିଲେ। ଅର୍ଥାତ୍ ବିଜେଡିକୁ ସମସ୍ତ ୱାର୍ଡରେ ମୁକାବିଲା ଦେବାକୁ ସୁଦ୍ଧା ପ୍ରତିପକ୍ଷ ଦଳ ସମର୍ଥନ ନଥିଲେ। ଗତ ପୌର ନିର୍ବାଚନରେ କଂଗ୍ରେସ ୧୫ଟି ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ୱାର୍ଡକୁ ହାତେଇଥିଲା। ୨୪ଟି ଜିତିଥିଲା ବିଜେଡି। ଯଦିଓ ଉପନିର୍ବାଚନରେ ବିଜେପି ମାତ୍ର ଗୋଟିଏ ୱାର୍ଡରେ ଜିତିପାରିଥିଲା। ଏଥର କିନ୍ତୁ ପୂର୍ବାପେକ୍ଷା ଅଧିକ ୬ଟି ୱାର୍ଡକୁ କବ୍‌ଜା କରିପାରିଛି ବିଜେଡି। ଶାସକ ଦଳ ଆସନର ପାଖାପାଖି ମଧ୍ୟ ହେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବିରୋଧୀ। ଦ୍ବିତୀୟ ସ୍ଥାନରେ ଥିବା ବିଜେପି ଶାସକ ଦଳ ତୁଳନାରେ ଏକ ଚତୁର୍ଥାଂଶରୁ ମଧ୍ୟ କମ୍ ଆସନ ହାସଲ କରିଛି।

ବ୍ରହ୍ମପୁର ୨୦୦୮ ମସିହାରେ ମହାନଗର ନିଗମ ମାନ୍ୟତା ପାଇଥିଲା। ସେବେଠାରୁ ଲଗାତର ବିଜେଡି ହିଁ ବିଏମ୍‌ସି ଶାସନ କ୍ଷମତା ହାତେଇ ଆସୁଛି। ଏଥର କଂଗ୍ରେସ ସାଙ୍ଗଠନିକ ସ୍ତରରେ ଦୁର୍ବଳ ଥିବା ବେଳେ ବିଜେପି ନିଜକୁ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଉଭା କରିବାକୁ ଚେଷ୍ଟା କରି ମଧ୍ୟ ଫେଲ୍ ମାରିଛି। ଭୋଟଗ୍ରହଣ ପୂର୍ବରୁ ପଦ୍ମ ଦଳରୁ ନେତାଙ୍କ ଇସ୍ତଫାର ଧାରା ଆରମ୍ଭ ହୋଇଯାଇଥିଲା। ତେଣୁ ଲୋକେ ଏହି ଦଳ ଉପରୁ ବିଶ୍ବାସ ହରାଇବାରେ ଲାଗିଥିଲେ। ଯଦିଓ ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସିନେ ତାରକା ଓ ରାଜ୍ୟସ୍ତରର ନେତାଙ୍କୁ ଆଣି ପ୍ରଚାର ଜୋରଦାର କରିଥିଲା, ହେଲେ ଜନସମର୍ଥନକୁ ନିଜ ଆଡକୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରି ନଥିଲା। ତାର ବିପରୀତ ସ୍ଥାନୀୟ ନେତା, ସାଂସଦ ଓ ବିଧାୟକଙ୍କୁ ଧରି ବିଜେଡି ପ୍ରାର୍ଥୀମାନେ ନିଜ ସ୍ବଚ୍ଛ ଭାବମୂର୍ତ୍ତି, ଦଳୀୟ ସୁଶାସନ, ମହାନଗରରେ ବିକାଶର ଧାରାକୁ ପ୍ରସଙ୍ଗ କରି ନିର୍ବାଚନ ମଇଦାନରେ ପ୍ରଚାର ଲଢେଇ କରିଥିଲେ। ବିଜେଡି ନିକଟରେ ଲୋକାଭିମୁଖୀ ସୁଶାସନ ଓ ବିକାଶମୂଳକ ଅନେକ ଯୋଜନା ଆଧାରିତ ପ୍ରସଙ୍ଗ ଥିବା ବେଳେ ବିରୋଧୀ ଥିଲେ ପ୍ରସଙ୍ଗଶୂନ୍ୟ। ସ୍ଥାନୀୟ ପୌର ନିର୍ବାଚନରେ କେନ୍ଦ୍ର ସରକାରଙ୍କ ପ୍ରଚାରସର୍ବସ୍ବ ଯୋଜନାକୁ ଇସ୍ୟୁ କରିଥିଲା ବିଜେପି, ଯାହାକୁ ଲୋକେ ବିଶେଷ ଗ୍ରହଣ କରି ନଥିଲେ। ଆଉ କଂଗ୍ରେସ କେବଳ ଜିଲ୍ଲା ସଭାପତି ତଥା ବିଧାୟକଙ୍କୁ ଆଗୁଆ କରି ଲୋକଙ୍କୁ ଭୋଟଭିକ୍ଷା କରିଥିଲା, ଯାହା ମହାନଗରବାସୀଙ୍କ ପାଇଁ ଆଦୌ ଗ୍ରହଣୀୟ ହୋଇପାରି ନଥିଲା। ସେ ଜାନିବିଲି ପାନୀୟ ଜଳ ପ୍ରକଳ୍ପ ହେଉ ବା ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ, ବ୍ରହ୍ମପୁର ଷ୍ଟାଡିୟମ୍ ନବୀକରଣ ହେଉ ବା ସ୍ମାର୍ଟ ସ୍କୁଲ, ବିଏମ୍‌ସି ସ୍ପୋର୍ଟସ୍ କମ୍ପ୍ଲେକ୍ସ ହେଉ ଅଥବା ପ୍ରମୁଖ ଛକମାନଙ୍କରେ ସୌନ୍ଦର୍ଯ୍ୟକରଣ- ମିନି ପାର୍କ, ସହରରେ ସ୍ୱାସ୍ଥ୍ୟସେବାର ବିକାଶ ଆଦି ମହାନଗରବାସୀଙ୍କୁ ପ୍ରଭାବିତ କରିଥିଲା ଆଉ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ସ୍ଵପ୍ନକୁ ଅଧିକ ଫଳବତୀ କରାଇବା ପାଇଁ ହ୍ୟାଟ୍ରିକ୍ ଥର ବିଜେଡିକୁ ଏହି ମହାନଗରର ଶାସନ କ୍ଷମତା ଅର୍ପଣ କରିଛନ୍ତି।

ମହାନଗରବାସୀ ବିଜେଡି ମେୟର୍ ପ୍ରାର୍ଥନୀ ସଂଘମିତ୍ରା ଦଳାଇଙ୍କୁ ବହୁଳ ଭୋଟରେ ବିଜୟୀ କରାଇଛନ୍ତି। ଜଣେ ଉଚ୍ଚଶିକ୍ଷିତା, ଆଇନଜୀବୀ, ରାଜନୈତିକ ଅଭିଜ୍ଞତାସମ୍ପନ୍ନ ଓ ପ୍ରଶାସନିକ ଦକ୍ଷତା ରଖିଥିବା ମହିଳାଙ୍କୁ ବିଜେଡି ପ୍ରାର୍ଥନୀ କରାଇଥିଲା। ସଂଘମିତ୍ରା ଏପରି ଜଣେ ନେତ୍ରୀ ଥିଲେ ଯେକି ସାଧାରଣ ଜନତାଙ୍କ ନିକଟତର ଥିଲେ। କେବଳ ନିଜ ୱାର୍ଡରେ ପୂର୍ବତନ କର୍ପୋରେଟର ଭାବେ ସେ ଜଣାଶୁଣା ଥିଲେ ତା ନୁହେଁ, ସାରା ସହର ଏପରିକି ଜିଲ୍ଲାରେ ମଧ୍ୟ ଜଣେ ଅନୁଭୂତିସମ୍ପନ୍ନ ମହିଳା ଭାବେ ତାଙ୍କ ନେତୃତ୍ଵକୁ ସହରବାସୀ ଗ୍ରହଣ କରି ତାଙ୍କୁ ମେୟର ପଦରେ ସହଜରେ ଆସୀନ କରାଇଛନ୍ତି। ପୁଣି ଥରେ ବିଜେଡି ଅମଳରେ ବ୍ରହ୍ମପୁରରେ ବିକାଶର ଶଙ୍ଖନାଦ ହେବ ତାହା ସ୍ପଷ୍ଟ।

Comments are closed.