ଚିତାଲାଗି ଅମାବାସ୍ୟା ଆମ ରାଜ୍ୟର ଏକ ପାରମ୍ପରିକ ପର୍ବ

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର(ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷହେବା ପରେ ଦଇତାପତିମାନେ ତିନିଠାକୁର ଙ୍କ ଲଲାଟ ରେ ଚିତାଲାଗି କରିଥାନ୍ତି ।

ଏହି ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ତିନି ଠାକୁର ଙ୍କ ଲଲାଟରେ ଦଇତାପତିମାନେ ଚିତାଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା।ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ ସ୍ନାନପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହାପୁଣି ଶ୍ରାବଣମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକ ରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ । ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ।ଶ୍ରୀବିଗ୍ରହ ଙ୍କ ମସ୍ତକରେ ପରିଧାନ କରାଇଥାନ୍ତି।ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଧର୍ମନୈତିକ, ରାଜନୈତିକ କଥା ଅନୁରୂପ ପର୍ବପର୍ବାଣୀକୁ ଭିନ୍ନ ଅନେକ କୃଷିଭିତ୍ତିକ ପର୍ବପର୍ବାଣୀ ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ । ଓଡ଼ିଶାର ଧାନ ମୁଖ୍ୟ ଫସଲ । ଏଣୁ ଧାନବୁଣା ଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ । ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ ।

ଏହିଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟ ରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରା ଯାଇଥାଏ । ଏହିପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ।ଏଥିରେ ଚିତଉପିଠା କରିଜୀବଜନ୍ତୁ ମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ ଏହା “ଗେଣ୍ଡେଇକଟା ଓଷା” ନାମରେ ମଧ୍ୟ ଜଣା ।ବାଲେଶ୍ୱର,ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ। “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷାଋତୁ ସମୟରେ ଧାନ ଫସଲ କରିବା ସମୟ ରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହିସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ।

ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚା ରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କହନ୍ତି:

“ ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।

ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଷୁଣୀ ନାମରେ ପୂଜା ମଧ୍ୟ କରାଯାଇଥାଏ । ଏହି ବିଧି ସକାଶେ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିତାଲାଗି ପର୍ବ ଅମାବାସ୍ୟା ଦିନରେ ପଡ଼ିଥିବାରୁ କାଳ ଯୋଗନେଇ ଜିଉମାନଙ୍କୁ ଅଘଟଣ ଯୋଗ ଥାଇପାରେ । କେବେବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଘଟେ, ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାକୁ ଧରି ଏପଟ ସେପଟ ହୁଏ । ଏହି ଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ୟତୀତ ଘରେ ଯେଉଁ ଚିତାଲାଗି ପର୍ବ ପାଳିତ ହୁଏ ତାକୁ ଗୃହିଣୀ ଚିତାଲାଗି ପର୍ବ କହନ୍ତି ।

“ ଚିତ୍ରକ ପିଷ୍ଠକୈ ଦେବଃ ”
ଅର୍ଥ: ଚିତଉପିଠା ଦେବତା”। ସ୍କନ୍ଧ ପୁରାଣ ଓ ପଦ୍ମ ପୁରାଣରେ ଚିତାଲାଗି ଅମାବାସ୍ୟାର ଉଲ୍ଲେଖ ରହିଛି ।

“ ଶ୍ରାବଣେ ମାସି ସଂପ୍ରାପ୍ତେ ଯୋଦ୍ଧର୍ଚ୍ଚୟେତ୍ କମଳାପତିମ୍ । ନ ସ ଗର୍ଭଗୃହଂ ଯାତି ଯାବଦାଭୂତି ସଂପ୍ଳବମ୍ ।। ” ଅର୍ଥ: ଶ୍ରାବଣ ମାସରେ ଯେଉଁ ଲୋକ କମଳାପତିଙ୍କୁ ଅର୍ଚ୍ଚନା କରେ ଅନନ୍ତକାଳ ପର୍ଯ୍ୟନ୍ତ ତା’ର ପୁନର୍ଜନ୍ମ ହେବନାହିଁ । ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା’ ଗୃହରେ ବିପତ୍ତି ପଡ଼ିନଥାଏ । ଅଷ୍ଟାଦଶ ଶତାବ୍ଦୀର ଆଧ୍ୟାତ୍ମିକ ଲେଖକ ବାଲୁଙ୍କୀ ପାଠୀଙ୍କ “ଯାତ୍ରା ଭାଗବତ” ସ୍ମୃତି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ଯାତ୍ରା ଭିତରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଶ୍ରାବଣ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଭୂଷଣ କରାଯାଏ ।

Comments are closed.