ଜୀବେ ନିଷ୍ଠୁରତା ନିରୋଧ ଆଇନ କର୍ମଶାଳା: ଗଞ୍ଜାମ ଜିଲ୍ଲା ବିକାଶର ପ୍ରୟୋଗଶାଳା

ଛତ୍ରପୁର: ସରକାରୀସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବା ଯୋଜନା ସକାଶେ ଗଞ୍ଜାମ ଜିଲ୍ଲା ବିକାଶର ପ୍ରୟୋଗଶାଳା ପାଲଟିଛି। ଏଣୁ ଏହି ଜିଲ୍ଲାରୁ ମଧ୍ୟ ପଶୁ ସମ୍ପଦର ସୁରକ୍ଷା ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ ହେବା। ଗଞ୍ଜାମ ଜିଲ୍ଲାର ଜୈବ ବିବିଧତା ସାଙ୍ଗକୁ ଏଠାରେ କୃଷ୍ଣସାର ମୃଗ, ବାଲି ହରିଣ, ମୟୁର, ବିରଳ ସାମୁଦ୍ରିକ ଅଲିଭ୍ ରିଡଲେ ଓ ସାଧାରଣ ପ୍ରଜାତିର କଇଁଛ, ଲୁପ୍ତ ଅବସ୍ଥାରୁ ପୁନରୁଦ୍ଧାର ଆଡ଼କୁ ଅଗ୍ରସର ହେଉଥିବା କୁନି ଘରଚଟିଆଙ୍କ ପରି ଅନେକ ବିରଳ ପଶୁ ସମ୍ପଦ ଦେଖିବାକୁ ମିଳନ୍ତି। ସେମାନଙ୍କ ସମେତ ଜିଲ୍ଲାର ସହରାଞ୍ଚଳରେ ରହୁଥିବା ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ ଗୁରୁବାର ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜୀବେ ନିଷ୍ଠୁରତା ନିରୋଧ ଆଇନ ସମ୍ପର୍କିତ ସଚେତନତା କର୍ମଶାଳାରେ ଆଲୋଚନା ସହ ଉପରୋକ୍ତ ମତ ପ୍ରକାଶ ପାଇଛି।

ଜିଲ୍ଲା ପ୍ରଣୀ ସମ୍ପଦ ବିଭାଗ ତରଫରୁ ହୋଇଥିବା ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ମୁଖ୍ୟ ଅତିଥି ଥିଲେ। ସେ କହିଥିଲେ ଯେ ମଣିଷ ଭଳି ପଶୁମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି। ପଶୁ ସମ୍ପଦର ସୁରକ୍ଷା ହୋଇପାରିଲେ ଜୀବ ଜଗତ ସନ୍ତୁଳିତ ରହିପାରିବ। ଗ୍ରୀଷ୍ମପ୍ରବାହ ସମୟରେ ପଶୁ ଓ ପକ୍ଷୀଙ୍କୁ ଖାଦ୍ୟ, ପାନୀୟ ଜଳ ଯୋଗାଣ ସହିତ ସେମାନଙ୍କର ଆବଶ୍ୟକତା ଅନୁସାରେ ଯତ୍ନ ନେବା ଅପରିହାର୍ଯ୍ୟ। ପ୍ରାଣୀ ଚିକିତ୍ସାଳୟ ଉପନିର୍ଦ୍ଦେଶକ ଶୁଭକାନ୍ତ ମହାନ୍ତିଙ୍କ ସମେତ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ ପଶୁ ସମ୍ପଦ ସୁରକ୍ଷା କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହୁଛି। ଛଅ ଦଶନ୍ଧିରୁ ଅଧିକ ପୁରୁଣା ପଶୁ ସମ୍ପଦର ସୁରକ୍ଷା କ୍ଷେତ୍ରରେ ପ୍ରଚଳିତ ଆଇନର ସଂଶୋଧନର ଆବଶ୍ୟକତା ନେଇ ମଧ୍ୟ ମତପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ମନୋଜ କୁମାର ସାହୁ ମଧ୍ୟ ମଞ୍ଚାସିନ ଥିଲେ। ଜିଲ୍ଲାର ସମସ୍ତ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ସରପଞ୍ଚ, ସ୍ବେଚ୍ଛାସେବୀ, ଗୋପାଳକ ଯୋଗ ଦେଇଥିଲେ।

Comments are closed.