ତାମିଲ ଅଭିନେତା-ନିର୍ଦ୍ଦେଶକ ମାରିମୁଥୁଙ୍କ ଦେହାନ୍ତ

ଚେନ୍ନାଇ: ଜଣାଶୁଣା ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଜି.ମାରିମୁଥୁଙ୍କର ଶୁକ୍ରବାର ହୃଦ୍‌ଘାତ ଯୋଗୁଁ ପରଲୋକ ହୋଇଯାଇଛି । ଦକ୍ଷିଣ ଭାରତୀୟ କଳାକାର ସଂଘ ଏହି ଦୁଃଖଦ ସୂଚନା ଦେଇଛି |

ମାରିମୁଥୁଙ୍କୁ ୫୭ ବର୍ଷ ବୟସ ହୋଇଥିଲା | ତାଙ୍କ ମୃତ୍ୟୁରେ ତାମିଲ ଚଳଚ୍ଚିତ୍ର ଜଗତରେ ଶୋକ ପ୍ରକାଶ ପାଇଛି। ନାଦିଗର ସଂଗମ (ଦକ୍ଷିଣ ଭାରତୀୟ କଳାକାର ସଂଘ) ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛି, ହୃଦ୍‌ଘାତ ଯୋଗୁଁ ନିର୍ଦ୍ଦେଶକ ତଥା ଅଭିନେତା ଜି ମାରିମୁଥୁଙ୍କ ଆଜି ସକାଳେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି।

ଖବର ଅନୁଯାୟୀ ମାରିମୁଥୁ ତାମିଲ ଟିଭି ସିରିଏଲ ପାଇଁ ଡବ କରିବା ସମୟରେ ହଠାତ୍ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମାରିମୁଥୁ ଦୁଇଟି ଚଳଚ୍ଚିତ୍ର ‘କନ୍ନମ୍ କନ୍ନମ୍’ ଏବଂ ‘ପୁଲିୱାଲ୍’ର ନିର୍ଦ୍ଦେଶନା ଦେଇଥିଲେ। ଜଣାଶୁଣା ଅଭିନେତା ପ୍ରସନ୍ନା ଉଭୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ମାରିମୁଥୁ ନିକଟରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କୁ ଅନେକ ଚଳଚ୍ଚିତ୍ର ଏବଂ ଟେଲି ସିରିଏଲରେ କାମ କରିଥିଲେ | ନିକଟରେ ତାଙ୍କୁ ରଜନୀକାନ୍ତଙ୍କ ‘ଜେଲର’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ‌ । ସନ୍ ପିକ୍ଚର୍ସ, ଅଭିନେତ୍ରୀ ରାଧିକା ଶରତକୁମାର, ଏମ୍ ଶଶିକୁମାର ଏବଂ ଅରୁଣ ବିଜୟଙ୍କ ସମେତ ଅନେକ ବଡ଼ ସିନେ ସେଲିବ୍ରିଟି ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

Comments are closed.