ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ରରୁ ବାସନ୍ଦ 

ଭୁବନେଶ୍ବର – ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ -ୟୁସିସିସି ପକ୍ଷରୁ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରି କୌଣସି ବ୍ୟକ୍ତି ଫିଲ୍ମ ନିର୍ମାଣ କରନ୍ତି, ତାହାହେଲେ ସେହି ଫିଲ୍ମକୁ ଓଡ଼ିଶାରେ କୌଣସି ଫିଲ୍ମ ହଲ୍‌ରେ ରିଲିଜ୍‌ କରାଇ ଦିଆଯିବ ନାହିଁ। ଏନେଇ ପ୍ରଯୋଜକ ସଂଘ ପକ୍ଷରୁ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଛି ୟୁସିସିସି ପକ୍ଷରୁ କୁହାଯାଇଛି ।

ନିକଟରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ମନୋଜ ମିଶ୍ରଙ୍କ ସମର୍ଥକମାନେ ବିରୋଧ କରିବା ଅଭିଯୋଗ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ବଲପୁରରେ ‘ରାମ’ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଅଭିନେତା ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ ଚାଲିଛି । ବିଗ୍ ବଜେଟରେ ଫିଲ୍ମ ରାମରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଭିନେତା ଅରିନ୍ଦମ୍ । ଗତ ୨୦ ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିଲା ଫିଲ୍ମ । ହେଲେ ମନୋଜଙ୍କ ସମର୍ଥକ ସମ୍ବଲପୁରରେ ଶୋ’ ବନ୍ଦ କରିଦେଇଥିଲେ । ଏ ନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବୁଟର । ଏ ବାବଦରେ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଅଭିଯୋଗ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବା ପରେ ମନୋଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ମନୋଜ କହିଛନ୍ତି ଯେ, ବ୍ୟାନ କରାଯିବା ନେଇ ତାଙ୍କ ପାଖକୁ କୌଣସି ଲିଖିତ ଚିଠି ଆସିନାହିଁ । ବ୍ୟାନ ପ୍ରସଙ୍ଗରେ ସେ ଅବଗତ ନାହାନ୍ତି ।’ ଏପରିକି ରାମ ସିନେମାକୁ ବିରୋଧ କରିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

Comments are closed.