ହକିର ସର୍ବକାଳୀନ ମହାନ ଖେଳାଳି

ବିଜନ କୁମାର ମହାପାତ୍ର

ଜଣେ କିମ୍ବଦନ୍ତୀ ପୁରୁଷଙ୍କ ସହ ଜଡିତ ବିଭିନ୍ନ ସକାରାତ୍ମକ କଥାକାହାଣୀରୁ ତାଙ୍କ ମହାନତାର ବ୍ୟାପକତା ଜଣାପଡେ । ବିଚକ୍ଷଣ ଓ ଅସାଧାରଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଥାଏ । କହିବା ବାହୁଲ୍ୟ ଯେ, ହକି ଯାଦୁକର ଧ୍ୟାନଚାନ୍ଦ ଏହି ଶ୍ରେଣୀରେ ଆସିବେ । ସେ ଥିଲେ ହକିର ପ୍ରଥମ ସୁପରଷ୍ଟାର । ଧ୍ୟାନଚାନ୍ଦଙ୍କ ବିଚକ୍ଷଣ ଷ୍ଟିକ୍ ଚାଳନା ଓ ଗୋଲ୍ ଦେବାର ଅଦ୍ଭୁତ କଳାକୌଶଳ ବିଶ୍ୱର ହକିପ୍ରେମୀଙ୍କୁ ବଶୀଭୂତ କରିଥିଲା । ଧ୍ୟାନଚାନ୍ଦଙ୍କ ଉତ୍କର୍ଷତାକୁ ପ୍ରତିଦ୍ୱନ୍ଦୀମାନେ ମଧ୍ୟ ବିନା ଦ୍ୱିଧାରେ ସ୍ୱୀକାର କରୁଥିଲେ । ଅନେକ ଈର୍ଷା ପରାୟଣ ବି ଥିଲେ । ଏହି ହକି କିମ୍ବଦନ୍ତୀଙ୍କ ସଂପର୍କରେ ଆହୁରି ଅନେକ କଥା ଶୁଣାଯାଏ । କୁହାଯାଏ ଯେ, ନେଦରଲ୍ୟାଣ୍ଡସରେ ଧ୍ୟାନଚାନ୍ଦଙ୍କ ହକି ଷ୍ଟିକ୍ ଭାଙ୍ଗି ଦିଆଯାଇଥିଲା । ଷ୍ଟିକ୍ ଭିତରେ କୌଣସି ଚୁମ୍ବକ ଲାଗିଛି କି ନାହିଁ , ତାହା ପରୀକ୍ଷା କରିବାକୁ ଧ୍ୟାନଚାନ୍ଦଙ୍କ ହକି ଷ୍ଟିକ୍ ଭାଙ୍ଗି ଦିଆଯାଇଥିଲା । ଜାପାନରେ ଅନେକ ଭାବି ନେଲେ ଯେ, ଧ୍ୟାନଚାନ୍ଦ ଷ୍ଟିକ୍‌ରେ କୌଣସି ଅଠା ନିଶ୍ଚିତ ଲାଗିଥିବ । ଧ୍ୟାନଚାନ୍ଦଙ୍କ ଖେଳ ହିଟଲରଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ତାଙ୍କ ହକି ଷ୍ଟିକ୍ କିଣିବାକୁ ଚାହିଁଥିଲେ । କେବଳ ସେତିକି ନୁହେଁ, ଧ୍ୟାନଚାନ୍ଦଙ୍କୁ ଜର୍ମାନ ସେନାରେ ପଦବୀ ଯାଚିଥିଲେ ହିଟଲର । ଏଭଳି ଅନେକ କଥା ଧ୍ୟାନଚାନ୍ଦଙ୍କ ସଂପର୍କରେ କୁହାଯାଏ । ନିଃସନ୍ଦେହରେ ଧ୍ୟାନଚାନ୍ଦ ଥିଲେ ଏକ ଅସାଧାରଣ ବ୍ୟକ୍ତି, ଜଣେ କିମ୍ବଦନ୍ତୀ । ହକିର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ । କଳାତ୍ମକ ହକି ଦ୍ୱାରା ଭାରତକୁ ଦେଇଥିଲେ ସ୍ୱତନ୍ତ୍ର ପରିଚୟ । ପ୍ରାକ୍ ସ୍ୱାଧୀନତା କାଳର ଭାରତୀୟ ହକି ଦଳର ତିନି ତିନିଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣିମ ସଫଳତା ପଛରେ ଥିଲା ଧ୍ୟାନଚାନ୍ଦଙ୍କ ଉଲ୍ଲେଖନୀୟ ଅବଦାନ । ହକି କହିଲେ ଧ୍ୟାନଚାନ୍ଦଙ୍କ କଥା ଆଜି ବି ସମସ୍ତଙ୍କ ମନେପଡେ । ଏହି ସର୍ବକାଳୀନ ମହାନ ଖେଳାଳି ଆଜି ବି ଭାରତୀୟ ହକି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ।

୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଆଲାହାବାଦରେ ଭୂମିଷ୍ଠ ହୋଇଥିଲେ ହକିର ଏହି ଉଜ୍ଜ୍ୱଳତମ ନକ୍ଷତ୍ର । ପରେ ତାଙ୍କ ପରିବାର ଝାନସୀରେ ବସବାସ କରିଥିଲେ । ଧ୍ୟାନଚାନ୍ଦଙ୍କ ପିତା ସମେଶ୍ୱର ଦତ୍ତବ୍ରିଟିଶ ସେନାରେ କାର୍ଯ୍ୟରତ ଥିଲା ବେଳେ ହକି ଖେଳୁଥିଲେ । କିଶୋରାବସ୍ଥାରେ ଧ୍ୟାନଚାନ୍ଦଙ୍କ କୌଣସି କ୍ରୀଡା ପ୍ରତି ସେମିତି କିଛି ଆଗ୍ରହ ନ ଥିଲା । କୁସ୍ତି ପ୍ରତି ସେ କିଛିଟା ଆଗ୍ରହ ଦେଖାଇଥିଲେ । କିନ୍ତୁ ୧୯୨୧ରେ ବ୍ରିଟିଶ ସେନାର ପ୍ରଥମ ବ୍ରାହ୍ଣଣ ରେଜିମେଂଟରେ ଭର୍ତ୍ତି ହେବା ପରେ ପ୍ରଥମ ଥର ପାଇଁ ହକି ଷ୍ଟିକ୍ ଧରିଥିଲେ ଧ୍ୟାନଚାନ୍ଦ । ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୬ ବର୍ଷ । ସୁବେଦାର ଭୋଲେ ତିୱାରୀ ଥିଲେ ଧ୍ୟାନଚାନ୍ଦଙ୍କ ପ୍ରଥମ କୋଚ୍ । ଧ୍ୟାନଚାନ୍ଦଙ୍କ ପ୍ରକୃତ ନାମ ଥିଲା ଧ୍ୟାନ ସିଂହ । କିନ୍ତୁ କୁହାଯାଏ ଯେ, ସେନାରେ ଭର୍ତ୍ତିହେଲା ପରେ ଦିନରେ ଡ୍ୟୁଟି ସାରି ସେ ଚନ୍ଦ୍ରପକ୍ଷ ରାତିରେ ଜୋରଦାର୍ ହକି ଅଭ୍ୟାସ କରୁଥିଲେ । ତାଙ୍କର ଏଭଳି ନିଷ୍ଠାକୁ ଦେଖି ବନ୍ଧୁମାନେ ତାଙ୍କୁ ଧ୍ୟାନଚାନ୍ଦ କହିବା ଆରମ୍ଭ କଲେ । ଆଉ କିଛି କହନ୍ତି ଯେ, ଚନ୍ଦ୍ର ଭଳି ହକିରେ ଚମକିଥିବାରୁ ତାଙ୍କର ଏଭଳି ନାମକରଣ ହୋଇଛି । ୧୯୨୨ରୁ ୧୯୨୬ ମସିହା ଯାଏଁ ଧ୍ୟାନଚାନ୍ଦ କେବଳ ପଞ୍ଜାବ ରେଜିମେଂଟ ଓ ସେନା ହକି ଟୁର୍ଣ୍ଣାମେଂଟରେ ଖେଳିଥିଲେ । ଏସବୁ ଟୁର୍ଣ୍ଣାମେଂଟରେ ଧ୍ୟାନଚାନ୍ଦଙ୍କ କଳାତ୍ମକ ହକି ଓ ଗୋଲ୍ ସ୍କୋରିଂ ଦକ୍ଷତା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ୧୯୨୬ ମସିହାରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ସେନା ଟିମରେ ସ୍ଥାନ ପାଇଥିଲେ ଧ୍ୟାନଚାନ୍ଦ । ହକି ଦଳରେ ତାଙ୍କର ପୋଜିସନ ଥିଲେ ସେଣ୍ଟର ଫରୱାର୍ଡ । ନ୍ୟୁଜିଲାଣ୍ଡ ଗସ୍ତ ପରେ ଧ୍ୟାନଚାନ୍ଦଙ୍କୁ ଲାନ୍ସ ନାୟକ ଭାବେ ପଦୋନ୍ନତି ଦିଆଯାଇଥିଲା ।

୧୯୨୮ ମସିହା ଆମଷ୍ଟରଡାମ ଅଲିମ୍ପିକ୍ସର ହକି ପ୍ରତିଯୋଗିତା ଥିଲା ଧ୍ୟାନଚାନ୍ଦଙ୍କ କ୍ୟାରିଅରର ପ୍ରଥମ ବଡ ସୁଯୋଗ । ସେତେବେଳକୁ ଭାରତୀୟ ହକି ମହାସଂଘ ନୂଆ ଭାବେ ପ୍ରତିଷ୍ଠା ହୋଇଥିଲା । ଅଲିମ୍ପିକ୍ସକୁ ଶ୍ରେଷ୍ଠ ଟିମ୍ ପଠାଇବା ପାଇଁ ଏକ ଆନ୍ତଃ ପ୍ରାଦେଶିକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ସେନାର ଅନୁମତି ପରେ ଧ୍ୟାନଚାନ୍ଦ ଏହି ଟୁର୍ଣ୍ଣାମେଣ୍ଟରେ ସଂଯୁକ୍ତ ପ୍ରଦେଶ ଟିମ୍ ପାଇଁ ଖେଳିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ସେଣ୍ଟର ଫରୱାର୍ଡ ଧ୍ୟାନଚାନ୍ଦଙ୍କ ଉତ୍କୃଷ୍ଟ ଖେଳ ଥିଲା ଚର୍ଚ୍ଚାର ବିଷୟ । ତାଙ୍କର ବିଚକ୍ଷଣ ଷ୍ଟିକ ୱାର୍କ ଓ ତ୍ୱରିତ ପାସ୍ ଏବଂ ଗୋଲ୍ ସ୍କୋରିଂ ସମସ୍ତଙ୍କୁ ଚମତ୍କୃତ କରିଥିଲା । ଆଉ କିଛି ଟ୍ରାଏଲ ମ୍ୟାଚ ପରେ ଅଲିମ୍ପିକ୍ସ ପାଇଁ ଦଳ ଘୋଷଣା କରାଯାଇଥିଲା । ଧ୍ୟାନଚାନ୍ଦ ସେଂଟର ଫରୱାର୍ଡ ଭାବେ ଦଳରେ ସ୍ଥାନ ପାଇଥିଲେ । ଆମଷ୍ଟରଡାମ୍ ଅଲିମ୍ପିକ୍ସର ହକି ଫାଇନାଲରେ ଭାରତୀୟ ଦଳ ଘରୋଇ ନେଦରଲ୍ୟାଣ୍ଡସକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଅସୁସ୍ଥ ହୋଇ ବି ଫାଇନାଲ ଖେଳିଥିଲେ ଧ୍ୟାନଚାନ୍ଦ । ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚରୁ ୧୪ଟି ଗୋଲ୍ ସ୍କୋର କରି ଟପ୍ ସ୍କୋରର ହୋଇଥିଲେ ଧ୍ୟାନଚାନ୍ଦ । ପ୍ରଥମ ଥର ପାଇଁ ଏକ ବଡ ଆନ୍ତର୍ଜାତିକ ଟୁର୍ଣ୍ଣାମେଂଟରେ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ ଧ୍ୟାନଚାନ୍ଦ । ଭାରତୀୟ ଦଳ ଓ ସର୍ବୋପରି ଧ୍ୟାନଚାନ୍ଦଙ୍କ ଖେଳରେ ପ୍ରଭାବିତ ହୋଇ ଏକ ଖବରକାଗଜ ତାଙ୍କୁ ହକିର ଯାଦୁକର ବୋଲି ବର୍ଣ୍ଣନା କରିଥିଲା ।

୧୯୩୨ ଲସଆଞ୍ଜେଲସ୍ ଅଲିମ୍ପିକ୍ସ ହକିରେ ବି ନିଜର ସ୍ୱର୍ଣ୍ଣିମ ସଫଳତା ଦୋହରାଇଥିଲା ଭାରତୀୟ ହକି ଦଳ । ଏହି ଦଳରେ ଧ୍ୟାନଚାନ୍ଦଙ୍କ ଛୋଟ ଭାଇ ରୂପ ସିଂହ ବି ସାମିଲ ଥିଲେ । ମାତ୍ର ତିନିଟି ଟିମ୍ ହିଁ ଏହି ଅଲିମ୍ପିକ୍ସର ହକିରେ ଭାଗ ନେଇଥିଲେ । ଭାରତ ଜାପାନକୁ ୧୧-୧ ଗୋଲରେ ଓ ଆମେରିକାକୁ ୨୪-୧ର ବୃହତ ବ୍ୟବଧାନରେ ହରାଇ ପୁଣି ଥରେ ଚାମ୍ପିଅନ ହୋଇଥିଲା । ଭାରତ ସ୍କୋର କରିଥିବା ୩୫ଟି ଗୋଲ୍ ମଧ୍ୟରୁ ଧ୍ୟାନଚାନ୍ଦ ଓ ଭାଇ ରୂପ ସିଂହ ହିଁ ମିଳିତ ଭାବେ ୨୫ଟି ଗୋଲ୍ ସ୍କୋର କରିଥିଲେ ।

ଚାରିବର୍ଷ ପରେ ୧୯୩୬ ମସିହା ବର୍ଲିନ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ ଧ୍ୟାନଚାନ୍ଦ । ଏହି ଅଲିମ୍ପିକ୍ସରେ ଧ୍ୟାନଚାନ୍ଦଙ୍କ ଯାଦୁକରୀ ହକି ଖେଳ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କୁ ବି ପ୍ରଭାବିତ କରିଥିଲା । ଫାଇନାଲରେ ଭାରତ ଜର୍ମାନୀକୁ ୮-୧ ଗୋଲରେ ହରାଇ ଲଗାତର ତୃତୀୟକ ଥର ପାଇଁ ଜିତିଥିଲା ଅଲିମ୍ପିକ୍ସ ହକି ସ୍ୱର୍ଣ୍ଣ । ଫାଇନାଲରେ ଅଧିନାୟକ ଧ୍ୟାନଚାନ୍ଦ ତିନିଟି ଗୋଲ୍ ସ୍କୋର କରିଥିଲେ । ଧ୍ୟାନଚାନ୍ଦଙ୍କ ହକି କୌଶଳ ହିଟଲରଙ୍କୁ ଏତେଦୂର ପ୍ରଭାବିତ କରିଥିଲା ଯେ, ସେ ତାଙ୍କୁ ଜର୍ମାନୀର ନାଗରିକତ୍ୱ ଗ୍ରହଣ ପାଇଁ ପ୍ରସ୍ତାବ ସହ ଜର୍ମାନ ସେନାର କର୍ଣ୍ଣେଲ ପଦବୀ ଯାଚିଥିବା କୁହାଯାଏ । ତିନିଟି ଅଲିମ୍ପିକ୍ସରେ ଧ୍ୟାନଚାନ୍ଦ ୧୨ଟି ମ୍ୟାଚ୍ ଖେଳି ୩୩ ଗୋଲ୍ ସ୍କୋର କରିଥିଲେ ।

ଅଧିନାୟକ ଭାବେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ହକି ସ୍ୱର୍ଣ୍ଣ ବିଜୟୀ କଲା ପରେ ଧ୍ୟାନଚାନ୍ଦ ପୁଣି ସେନା ଡ୍ୟୁଟିରେ ନିୟୋଜିତ ହେଲେ । ୧୯୩୬ରୁ ୧୯୩୯ ଯାଏଁ ସେ ଆର୍ମି ହକି ହିଁ ଖେଳୁଥିଲେ । ସେନାରେ ତାଙ୍କୁ ବିଭିନ୍ନ ପଦନ୍ନୋତି ମିଳିଥିଲା । ୧୯୪୭ ମସିହାରେ ପୂର୍ବ ଆଫ୍ରିକା ଗସ୍ତ କରିଥିବା ଭାରତୀୟ ଦଳରେ ସାମିଲ ଥିଲେ ଧ୍ୟାନଚାନ୍ଦ । ୪୦ ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ଧ୍ୟାନଚାନ୍ଦଙ୍କ ଗୋଲ୍ ସ୍କୋରିଂ ଦକ୍ଷତା କାଏମ ରହିଥିଲା । ୪୦ ବର୍ଷ ବୟସ ପରେ ବି ଧ୍ୟାନଚାନ୍ଦ ୨୨ଟି ମ୍ୟାଚରୁ ୬୧ଟି ଗୋଲ୍ ସ୍କୋର କରିଥିଲେ । ୧୯୪୮ ମସିହା ପ୍ରାରମ୍ଭରେ ପୂର୍ବ ଆଫ୍ରିକା ଗସ୍ତରୁ ଫେରିବା ପରେ ଧୀରେ ଧୀରେ ‘ସିରିୟସ ହକି’ ସହ ଆଉ ସଂପୃକ୍ତ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲେ ଧ୍ୟାନଚାନ୍ଦ । କ୍ୟାରିୟରର ଶେଷ ଭାଗରେ ସେ କିଛି ପ୍ରଦର୍ଶନୀ ହକି ମ୍ୟାଚ୍ ଖେଳିଥିଲେ । ଅବଶିଷ୍ଟ ଭାରତୀୟ ଏକାଦଶ ପକ୍ଷରୁ ବେଙ୍ଗଲ ଟିମ୍ ବିପକ୍ଷରେ ମ୍ୟାଚ୍ ଥିଲା ଧ୍ୟାନଚାନ୍ଦଙ୍କ ଶେଷ ହକି ମ୍ୟାଚ୍ । ୧୯୨୬ରୁ ୧୯୪୯ ମସିହା ମଧ୍ୟରେ ଧ୍ୟାନଚାନ୍ଦ ମୋଟ ୧୮୫ଟି ମ୍ୟାଚ୍ ଖେଳି ୫୭୦ଟି ଗୋଲ୍ ସ୍କୋର କରିଛନ୍ତି ।

୩୪ ବର୍ଷ ସେବା ପରେ ୧୯୫୬ ମସିହା ଅଗଷ୍ଟ ୨୯ ତାରିଖରେ ସେ ସେନାରୁ ଅବସର ନେଇଥିଲେ । ସେହିବର୍ଷ ହିଁ ଧ୍ୟାନଚାନ୍ଦଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ହକିରୁ ଅବସର ପରେ ସେ ବିଭିନ୍ନ କୋଚିଂ କ୍ୟାମ୍ପରେ ଯୋଗ ଦେଇଥିଲେ । ପରେ ସେ ପଟିଆଲା ସ୍ଥିତ ଜାତୀୟ କ୍ରୀଡା ପ୍ରତିଷ୍ଠାନରେ ମୁଖ୍ୟ ହକି କୋଚ୍ ଭାବେ ଅବସ୍ଥାପିତ ହୋଇଥିଲେ ।

୧୯୭୯ ମସିହା ଡିସେମ୍ବର ୩ ତାରିଖରେ ପରଲୋକ ଗମନ କରିଥିଲେ ହକି ଯାଦୁକର । ଲିଭର କ୍ୟାନସରେ ପୀଡିତ ହୋଇ ଦିଲ୍ଲୀର ଏମସରେ ଆଖି ବୁଜିଥିଲେ । ହୋମଟାଉନ ଝାନସୀରେ ଝାନସୀ ହିରୋଗ୍ରାଉଣ୍ଡରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ପଞ୍ଜାମ ରେଜିମେଂଟ ପକ୍ଷରୁ ତାଙ୍କୁ ଦିଆଯାଇଥିଲା ପୂର୍ଣ୍ଣ ସାମରିକ ସମ୍ମାନ । ଏହି ମହାନ ଖେଳାଳିଙ୍କ ଜନ୍ମତିଥିକୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । ନିକଟରେ ଭାରତର ଏହି ମହାନ କ୍ରୀଡାବିତଙ୍କ ନାଁରେ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନର ନାମକରଣ ହୋଇଛି । କିନ୍ତୁ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ ଦିଆଯାଇ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି । କିନ୍ତୁ ଧ୍ୟାନଚାନ୍ଦଙ୍କ ପରି କ୍ରୀଡାବିତ୍ ଭାରତର ଅମୂଲ୍ୟ ରତ୍ନ । ତାଙ୍କ ଆଗରେ କୌଣସି ପୁରସ୍କାର ଓ ସମ୍ମାନ ଅତି ତୁଚ୍ଛ ମନେ ହୁଏ ।

( ଲେଖକ ଜଣେ ବରିଷ୍ଠ ସାମ୍ବାଦିକ )

Comments are closed.