ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ନୀତି ପାଇଁ ଭଣ୍ଡାର ଘରୁ ରୂପା ପିଙ୍ଗଣ ଆସିଥାଏ। ଘଟୁଆରୀ ଚନ୍ଦନ ଆଣି ଯୋଗାଇଥାନ୍ତି। ଭଣ୍ଡାର ମେକାପ ଅଳଙ୍କାର ଆଣି ଯୋଗାଇଥାନ୍ତି। ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷ ମାନ ଯୋଗାଇଦିଆ ଯାଇଥାଏ। ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧରେ ସେବକଙ୍କର ଆବଶ୍ୟକତା ପଡିଥାଏ।

ଶ୍ରାବଣ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରାରେ ପାଣି ପଡି ଧୁଆ ଯିବା ପରେ ଖୁଣ୍ଟିଆ ପୁଷ୍ପାଳକ ଙ୍କୁ ଡାକିଥାନ୍ତି। ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନୋଟି ରୂପା ପିଙ୍ଗଣରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନକୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି। ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ। ଏହି ଦିନ ଏହି ସମୟରେ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣରେ ମେକାପ ପକାଇଥିବା ଖଟଶେଜ ଉପରେ ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ଏହାଙ୍କ ପାଖରେ ବିଜେ କରାଇଥାନ୍ତି। ଏହିଠାରେ ୩ଦିଅଁଙ୍କୁ ମହାଜନ ସେବକମାନେ ବେଶ କରିଥାନ୍ତି। ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରା ରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ ଲଗାଇଥାନ୍ତି। ସର୍ପାମଣୋହି ପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ। ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ , ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ ହୋଇଥାନ୍ତି ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନରୁ ଓଲ୍ହାଇ ତିନି ବାଡ଼ରେ ସନ୍ଧ୍ୟା ଆଳତି ବଢିଥାଏ। ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତ୍ତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଲାଗି କରିଥାନ୍ତି। ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ, ବଟଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି। ଏଠାରେ ବିଡ଼ିଆ ମଣୋହି ହୋଇଥାଏ। ଭିତରେ ସନ୍ଧ୍ୟା ଧୂପ ବଢିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରାବାନ୍ଧି ଶୀତଳ ଭୋଗ ପୂଜା ଠା’ କରିଥାନ୍ତି। ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଞ୍ଚ ଉପଚାରରେ ପୂଜା କରିଥାନ୍ତି। ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢାଇଥାନ୍ତି। ରତ୍ନସିଂହାସନରେ ଶ୍ରୀଜିଉମାନଙ୍କର ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୂଞ୍ଜରେ ମହାଜନମାନେ ମଇଲମ କରି ଶ୍ରୀମଦନମୋହନଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି।
ଏହିପରି ଭାବରେ ୭ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

Comments are closed.