ଜୟନ୍ତୀ ଓ ଦୀପଙ୍କୁ ଦିଆଗଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର , ରାଜ୍ୟ ହେବ ବିଶ୍ୱ କ୍ରୀଡାର କେନ୍ଦ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରଦାନ କରାଯାଇଛି ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୨୦୧୯ ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି । ପାରା ଆଥଲେଟ୍ ଜୟନ୍ତୀ ବେହେରା ଓ ହକି ଖେଳାଳି ଦୀପ ଗ୍ରେସ ଏକ୍କାଙ୍କୁ ପୁରସ୍କାର ଦିଆଯାଇଛି । ଉଭୟଙ୍କୁ ୨ ଲକ୍ଷ ଟଙ୍କାଏଁ ନଗଦ ପୁରସ୍କାର ଦିଆଯାଇଛି । ସାହସିକତା ପାଇଁ ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ଦିଆଯାଇଛି । କୋଚିଂରେ ଉତ୍କର୍ଷତା ପାଇଁ ସତ୍ୟରଂଜନ ପଟ୍ଟନାୟକ ପୁରସ୍କୃତ ହୋଇଛନ୍ତି । ଦିବ୍ୟାଙ୍କ କ୍ରୀଡାବିତଙ୍କୁ କୋଚିଂ ପାଇଁ ଶିବ ପ୍ରସାଦ ଦାସଙ୍କୁ ମିଳିଛି ପୁରସ୍କାର । ପଦ୍ମିନୀ ରାଉତ, ହୁପି ମାଝି, ରାଜଶ୍ରୀ ମହାପାତ୍ର, ମନୀଷ ମେରେଲ୍ ,ପ୍ରତ୍ୟାଷା ରୟ ଙ୍କୁ ନଗଦ ଅର୍ଥ ପୁରସ୍କାର ମିଳିଛି ।

ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଓଡିଶାକୁ ବିଶ୍ୱ କ୍ରୀଡାର କେନ୍ଦ୍ର ଭାବେ ଗଢି ତୋଳିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ । ଓଡିଶା , ବିଶ୍ୱ ହକିର ଏକ ମୁଖ୍ୟ କେନ୍ଦ୍ର ଭାବେ ଉଭା ହୋଇଛି । ୨୦୨୩ରେ ମଧ୍ୟ ବିଶ୍ୱକପର ଆଉ ଏକ ସଂସ୍କରଣ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାକୁ ଏକ ସମୃଦ୍ଧ କ୍ରୀଡା ରାଜ୍ୟ ଭାବେ ଦେଖିବାକୁ ବିଜୁ ପଟ୍ଟନାୟକଙ୍କ ଇଚ୍ଛା ଥିଲା । ସେ ନିଜେ ଜଣେ କ୍ରୀଡାବିତ୍ ହୋଇ କ୍ରୀଡାର ପ୍ରସାର ପାଇଁ ଉଦ୍ୟମ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ । ତୃମମୂଳ ସ୍ତରରେ କ୍ରୀଡା ଭିତିଭୂମି ଓ କୋଚିଂ ବ୍ୟବସ୍ଥା କରାଯିବା ଉପରେ ଫୋକସ୍ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଯୁବ ପ୍ରତିଭାଙ୍କୁ ଇତ୍ସାହିତ କରାଯାଉଛି । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗ ଦେଇ ବିଜୁବାବୁଙ୍କ କ୍ରୀଡା ପ୍ରୀତି ସଂପର୍କରେ କହିଥିଲେ ।

Comments are closed.