ବିରୋଧୀଙ୍କ ଦାବି: ସାଂସଦ ପାଣ୍ଠି ଅର୍ଥ କେନ୍ଦ୍ର ସରକାର କେଉଁଠି ଖର୍ଚ୍ଚ କଲେ ହିସାବ ଦିଅନ୍ତୁ

ନୂଆଦିଲ୍ଲୀ:ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନୀୟ ବିକାଶ ପାଣ୍ଠି ଯୋଜନା (ଏମପିଲାଡ୍) ପୁଣି ଥରେ ଚାଲୁ କରାଯାଇଛି। ଏହି ଆର୍ଥିକ ବର୍ଷରେ ସାଂସଦମାନଙ୍କୁ ବିକାଶ କାର୍ଯ୍ୟ ପାଇଁ ଦୁଇ କୋଟି ଟଙ୍କା ଦିଆଯିବ ଏବଂ ଆସନ୍ତା ଆର୍ଥିକ ବର୍ଷରୁ ଏହି ପରିମାଣ ପାଞ୍ଚ କୋଟି ହେବ।

କୋଭିଡ ମହାମାରୀ ସମୟରେ ଗତ ବର୍ଷ ସାଂସଦମାନେ ଗ୍ରହଣ କରିଥିବା ଏହି ପରିମାଣ ବିକାଶ କାର୍ଯ୍ୟରେ ଲାଗିବା ପରିବର୍ତ୍ତେ କରୋନା ଲଢେ଼ଇରେ ଖର୍ଚ୍ଚ ହୋଇଥିଲା। ଏହି ଯୋଜନାକୁ ଦୁଇ ଆର୍ଥିକ ବର୍ଷ (୨୦୨୦-୨୦୨୧ ଏବଂ ୨୦୨୧-୨୦୨୨) ପାଇଁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଅର୍ଥନୀତିର ଅଭିବୃଦ୍ଧି ଦର୍ଶାଇ ଚଳିତ ବର୍ଷ ଏହି ଯୋଜନାକୁ ଆଂଶିକ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏକ ଜାତୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଅର୍ଥନୀତିରେ ଉନ୍ନତି ହୋଇଥିବାରୁ ଏହି ଯୋଜନା ପୁଣି ଆରମ୍ଭ ହୋଇଛି।

ତେବେ ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି ଯେ ସାଂସଦ ପାଣ୍ଠି ଯୋଜନାକୁ ସ୍ଥଗିତ ରଖିବା ପରେ ଯେଉଁ ରାଶି ଜମା ହୋଇଥିଲା ତାହା କିପରି ଏବଂ କେଉଁ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ସେନେଇ ସରକାର ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି।

ଡିଏମକେ ରାଜ୍ୟସଭା ସଦସ୍ୟ ପି ୱିଲସନ କହିଛନ୍ତି ଯେ ମହାମାରୀ ସମୟରେ କେନ୍ଦ୍ର ସରକାର ସାଂସଦ ପାଣ୍ଠି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତାମିଲନାଡୁର ୩୯ଟି ଲୋକସଭା ଏବଂ ୧୮ଟି ରାଜ୍ୟସଭା ସାଂସଦ ଅଛନ୍ତି। ତେଣୁ ରାଜ୍ୟକୁ ବାର୍ଷିକ ୨୮୫ କୋଟି ଟଙ୍କା ମିଳିଥାଏ। ତେବେ ସାଂସଦ ପାଣ୍ଠି ଗତବର୍ଷ ସ୍ଥଗିତ ରହିବା ପରେ ଏହି ଅର୍ଥ କେନ୍ଦ୍ର ସରକାର ହାତେଇଥିଲେ।

ଆରଜେଡି ନେତା ମନୋଜ ଝା’ଙ୍କ କହିବା ହେଲା ଯେ ସାଂସଦ ପାଣ୍ଠିରୁ ସଞ୍ଚୟ ହୋଇଥିବା ଟଙ୍କା ସହିତ ସେମାନେ କଣ କରିଛନ୍ତି ସେ ସମ୍ପର୍କରେ ସରକାର ବିସ୍ତୃତ ସୂଚନା ଦେବା ଉଚିତ୍। ଏ ବାବଦରେ ସରକାର କୌଣସି ତଥ୍ୟ ନ ଲୁଚାଇ ଏକ ଶ୍ବେତପତ୍ର ଆଣିବା ଉଚିତ୍। ଏହି ଟଙ୍କା କିପରି ଖର୍ଚ୍ଚ ହେଲା ଏବଂ ଏହା ମହାମାରୀରେ ଲୋକଙ୍କୁ କିପରି ସହାୟତାରେ ଆସିଲା ସରକାର ତଥ୍ୟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

Comments are closed.