ଅକ୍ସଫୋର୍ଡ ଟିକା ୭୦% ଫଳପ୍ରଦ

ଲଣ୍ଡନ – କରୋନା କବଳିତ ବିଶ୍ୱ ଏବେ ଚାତକ ପରି ଟିକାକୁ ଚାହିଁ ବସିଛି । ବିଶ୍ୱର ବିଭିନ୍ନ କମ୍ପାନୀଙ୍କ ଦ୍ୱାରା ବିକଶିତ ଟିକା ଏବେ ଶେଷ ପର୍ଯ୍ୟାୟ ପରୀକ୍ଷାରେ ଭଳ ଫଳ ମଧ୍ୟ ଦେଇଛି । ଆମେରିକାର ଦୁଇ ବଡ଼ କମ୍ପାନୀ ଫାଇଜର ଓ ମଡର୍ଣ୍ଣାଙ୍କ ଟିକା କୋଭିଡ୍‌-୧୯ ସଂକ୍ରମଣ ରୋକିବାରେ ୯୦%ରୁ ଅଧିକ ପ୍ରଭାବୀ ବୋଲି ସାବ୍ୟସ୍ତ ହୋଇସାରିଛି ।

ଏବେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକାର ମିଳିତ ଉଦ୍ୟମରେ ବିକଶିତ ଟିକା ମଧ୍ୟ କରୋନା ସଂକ୍ରମଣକୁ ରୋକିବାରେ ଫଳପ୍ରଦ ବୋଲି ଖବର ଆସିଛି । ଏହି ଟିକାର କ୍ଲିନିକାଲ ଟ୍ରାଏଲ ସମ୍ପ୍ରତି ଜାରି ରହିଛି । କ୍ଲିନିକାଲ ଟ୍ରାଏଲର ଅନ୍ତରୀଣ ବିଶ୍ଲେଷଣରୁ ଏହି ଟିକା କରୋନା ସଂକ୍ରମଣ ରୋକିବାରେ ୭୦% ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦାବି କରିଛନ୍ତି । ଟିକାର ଅଧା ଡୋଜ୍ ପ୍ରୟୋଗ ଦ୍ୱାରା ୯୦% ସକାରାତ୍ମକ ଫଳ ମିଳୁଛି । ଏହାର ମାସକ ବ୍ୟବଧାନ ପରେ ଆଉ ଅଧା ଡୋଜ୍ ପ୍ରୟୋଗ କରାଗଲେ ସଂକ୍ରମଣ ରୋକିବାରେ ଏହି ଟିକା ମୋଟାମୋଟି ୭୦% ଫଳପ୍ରଦ ସାବ୍ୟସ୍ତ ହେଉଛି ବୋଲି ଆଷ୍ଟ୍ରାଜେନେକା ତରଫରୁ କୁହାଯାଇଛି ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଟିକାର ଭାରତରେ ବିତରଣ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରିବ । ଏହି ଟିକା ଭାରତରେ ସମ୍ଭବତଃ ଫେବୃଆରୀ ସୁଦ୍ଧା ଉପଲବ୍ଧ ହେବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ଅଦାର ପୁନାୱାଲା କହିଛନ୍ତି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ମିଳିବ । ଏପ୍ରିଲ୍ ସୁଦ୍ଧା ଭାରତରେ ଅକ୍ସଫୋର୍ଡ ଟିକା ସମସ୍ତଙ୍କୁ ମିଳିବ । ଭାରତରେ ଏହି ଟିକାର ଦାମ ୫୦୦ରୁ ୬୦୦ ଟଙ୍କା ରହିବ । ସରକାର ଯଦି ଏହି ଟିକାର ଅଧିକ ପରିମାଣ ଅର୍ଡର କରନ୍ତି, ତେବେ ପ୍ରତି ଡୋଜର ମୂଲ୍ୟ ୨୦୦ରୁ ୩୦୦ ଟଙ୍କାରେ ଉପଲବ୍ଧ ହେବ ।

Comments are closed.