ପେଗାସସ୍ ମାମଲା: ଜବାବ ଦାଖଲ କରିବାକୁ ଅଧିକ ସମୟ ମାଗିଲେ ସରକାର, ସେପ୍ଟେମ୍ବର ୧୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲା ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୩କୁ ଘୁଞ୍ଚାଇ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ଵ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ମାମଲାରେ ଏକ ସାନି ସତ୍ୟପାଠ ଦାଖଲ କରିବାକୁ କହି କୋର୍ଟଙ୍କୁ ସମୟ ମାଗିଥିଲେ | ଆବେଦନକାରୀ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ ମଧ୍ୟ ଏଥିରେ ଆପତ୍ତି ଉଠାଇନଥିଲେ। ସାନି ସତ୍ୟପାଠ ପାଇଁ ସମୟ ଦେବାକୁ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ଏକ ୩ ଜଣିଆ ଖଣ୍ଡପୀଠ କେନ୍ଦ୍ରର ଅନୁରୋଧ ଗ୍ରହଣ କରିଛନ୍ତି।

ଶେଷଥର ଅଗଷ୍ଟ ୧୭ରେ ଏହି ମାମଲାରେ ହୋଇଥିବା ଶୁଣାଣିରେ କେନ୍ଦ୍ର ସରକାର ୨ ପୃଷ୍ଠାର ସଂକ୍ଷିପ୍ତ ଜବାବ ଦାଖଲ କରିଥିଲେ। ଏଥିରେ ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ସରକାରଙ୍କ ଏଭଳି ଜବାବକୁ ଆବେଦନକାରୀମାନେ ବିରୋଧ କରିଥିଲେ। ଏହା ପରେ ଅଦାଲତ ସରକାରଙ୍କୁ ନୋଟିସ ଜାରି କରି ଏନେଇ କିଛି କହିବାର ଅଛି କି ନାହିଁ ତାହା ବିଚାର କରିବାକୁ କହିଥିଲେ। ସରକାରଙ୍କ ଜବାବ ଦେଖିବା ପରେ କୋର୍ଟ ଏହି ମାମଲା ଉପରେ କଣ ନିଷ୍ପତ୍ତି ନିଆଯିବ ବିଚାର କରିବେ।

ପେଗାସସ୍ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ୧୫ଟି ଆବେଦନ ବିଚାରାଧୀନ ଅଛି। ବରିଷ୍ଠ ସାମ୍ବାଦିକ ଏନ୍ ରାମ, ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ଏହି ମାମଲାର ସ୍ବତନ୍ତ୍ର ତଦନ୍ତ ପାଇଁ ଦାବି କରି ପିଟିସନ ଦାୟର କରିଛନ୍ତି। ରାଜନେତା, ସାମ୍ବାଦିକ, ପୂର୍ବତନ ବିଚାରପତି ଏବଂ ସାଧାରଣ ନାଗରିକଙ୍କୁ ଉପରେ ସରକାର ବେଆଇନ ଭାବେ ଗୁଇନ୍ଦାଗିରି କରୁଛନ୍ତି ବୋଲି ପିଟିସନରେ ଅଭିଯୋଗ ହୋଇଛି । କେନ୍ଦ୍ର ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଆସିଛି। କିନ୍ତୁ ଆବେଦନକାରୀଙ୍କ ସନ୍ଦେହ ଦୂର କରିବା ପାଇଁ ଏକ ବିଶେଷଜ୍ଞ କମିଟି ଦ୍ବାରା ଏହାର ତଦନ୍ତ କରିବା ପାଇଁ କେନ୍ଦ୍ର ପ୍ରସ୍ତାବ ଦେଇଥିଲା। ତେବେ ଆବେଦନକାରୀମାନେ ସରକାର ପେଗାସସ୍ ସଫ୍ଟୱେର ବ୍ୟବହାର କରିଛନ୍ତି କି ନାହିଁ ତାହାର ପ୍ରମାଣ ଉପସ୍ଥାପନ କରନ୍ତୁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ନିବେଦନ କରାଯାଇଥିଲା ।

Comments are closed.