ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ୍ ଭାବେ ସୁରକ୍ଷିତ ରହିବ। ସେ କହିଛନ୍ତି ଆୟୁଷ୍ମାନ ଭାରତ – ଡିଜିଟାଲ ମିଶନ ବର୍ତ୍ତମାନ ଦେଶର ଡାକ୍ତରଖାନାଗୁଡ଼ିକର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନକୁ ପରସ୍ପର ସହ ଯୋଡିବ। ଏହା ଅଧୀନରେ ଦେଶବାସୀ ଏବେ ଏକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପାଇବେ। ପ୍ରତ୍ୟେକ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ୍ ଭାବେ ସୁରକ୍ଷିତ ରହିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘କରୋନା କାଳରେ ଟେଲିମେଡିସିନ୍ ର ମଧ୍ୟ ଅପ୍ରତ୍ୟାଶିତ ବୃଦ୍ଧି ଘଟିଛି | ଇ-ସଞ୍ଜୀବନୀ ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୧.୨୫ କୋଟି ରିମୋଟ୍ କନସଲଟେସନ୍ ହୋଇପାରିଛି। ଏହି ସୁବିଧା ଦେଶର ଦୂରଦୂରାନ୍ତରେ ରହୁଥିବା ହଜାର ହଜାର ଦେଶବାସୀଙ୍କୁ ଘରେ ବସି ସହରର ବଡ ଡାକ୍ତରଖାନାର ଡାକ୍ତରଙ୍କ ସହ ଯୋଡ଼ି ପାରିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ମାଣ୍ଡଭୀୟ କହିଛନ୍ତି ଯେ ୧୫ ଅଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ଲାଲ୍ କିଲ୍ଲାରୁ ମିଶନ (ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ) ସମ୍ପର୍କରେ ଘୋଷଣା କରିଥିଲେ। ମୁଁ ଖୁସି ଯେ ସେ ଆଜି ଏହାକୁ ସେ ଲଞ୍ଚ୍ କରୁଛନ୍ତି। ମୁଁ ନିଶ୍ଚିତ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ୍ (ପିଏମ୍-ଡିଏଚ୍ଏମ୍) ଅଧୀନରେ ସମସ୍ତ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପ୍ରଦାନ କରାଯିବ ଯେଉଁଥିରେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲିପିବଦ୍ଧ ରହିବ।

Comments are closed.