ଡେବ୍ରିଗଡରେ ବୁଢିଆଣୀ ଉପରେ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ହୀରାକୁଦ ବନ୍ୟପ୍ରାଣୀ ତରଫରୁ ଡେବ୍ରୀଗଡ଼ ଅଭୟାରଣ୍ୟରେ ବୁଢ଼ିଆଣି ବା ସ୍ପାଇଡର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୨ ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ , ପ୍ରକୃତିପ୍ରେମୀ, ବ୍ଲଗର, ବନ୍ୟପ୍ରାଣୀ ଫଟୋଗ୍ରାଫର, ପର୍ଯ୍ୟଟକ ତଥା ବନ ବିଭାଗର କର୍ମକର୍ତ୍ତା ସାମିଲ ହୋଇଥିଲେ।

ଏହି ଆଲୋଚନାଚକ୍ରରେ ମୁଖ୍ୟତଃ ବୁଢ଼ିଆଣିର ପ୍ରଜାତି, ଏମାନଙ୍କ ଜୀବନଶୈଳୀ, ବିଶେଷତ୍ବ କଣ ରହିଛି ,ପ୍ରକୃତି ପାଇଁ ଏହା କେତେ ଗୁରୁତ୍ବ ବହନ କରେ ଇତ୍ୟାଦି ପ୍ରମୁଖ ବିଷୟ ଉପରେ ଅବଗତ କରାଯାଉଛି । ଏମାନଙ୍କ ସଂରକ୍ଷଣ କେତେ ଜରୁରୀ ସେନେଇ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ‘ସ୍ପାଇଡର ଟକ’ ସେମିନାର କାର୍ଯ୍ୟକ୍ରମ ମୁଖ୍ୟ ଲକ୍ଷ୍ୟ ବୋଲି ବନ ବିଭାଗ କହିଛି।
ଏହି 2ଦିନିଆ କାର୍ଯ୍ୟକ୍ରମକୁ ସମ୍ବଲପୁରର ସ୍ପାଇଡର ବିଶେଷଜ୍ଞ ଡା କୌଶଲ୍ୟ ଦାସ ପରିଚାଳନା କରିଥିଲେ । ଶ୍ରୀଦାସ ବୁଢ଼ୀଆଣି ଉପରେ ଗବେଷଣା କରୁଥିବାବେଳେ ଏନେଇ ରାଜ୍ୟ ସରକାରଙ୍କ ବନ ବିଭାଗକୁ ଏସମ୍ପର୍କିତ ଏକ ପ୍ରୋଜେକ୍ଟ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏହାକୁ ବନ ବିଭାଗ ପକ୍ଷରୁ ସ୍ବୀକୃତି ମିଳିବା ପରେ ସମ୍ବଲପୁର ଡେବ୍ରୀଗଡ଼ ଅଭୟାରଣ୍ୟରେ ଚାଲିଥିବା ପ୍ରକୃତି ଶିକ୍ଷା (NATURE EDUCATION) କାର୍ଯ୍ୟକ୍ରମ ଜରିଆରେ ଏହି ଶୀର୍ଷକ ଆଲୋଚନା ଚକ୍ର ‘ ସ୍ପାଇଡର ଟକ ‘ ଅନୁଷ୍ଠିତ ହୋଇଛି ।

ଏଭଳି କାର୍ଯ୍ୟକ୍ରମ ଦ୍ବାରା ଲୋକଙ୍କ ମଧ୍ୟରେ ବନ୍ୟପ୍ରାଣୀଙ୍କ ପ୍ରତି ସଚେତନତା ସୃଷ୍ଟି ହେବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର DFO ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଏବେ ପ୍ରତ୍ୟେକ ମାସରେ ଛାତ୍ରଛାତ୍ରୀଙ୍କ ପାଇଁ 2 ଦିନ ଓ ପ୍ରକୃତିପ୍ରେମୀଙ୍କ ପାଇଁ ଗୋଟିଏ ଦିନ ସାରା ରାଜ୍ୟରେ ବିଭିନ୍ନ ବନଖଣ୍ଡରେ ଆୟୋଜନ କରାଯିବ ବୋଲି ମଧ୍ୟ ବିଭାଗ ସୂଚନା ଦେଇଛି ।

Comments are closed.