ରାମବିଳାସଙ୍କ ବିୟୋଗ : କିପରି ପ୍ରଭାବିତ ହେବ ବିହାରର ନିର୍ବାଚନୀ ରାଜନୀତି ?

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନର ୨୦ ଦିନ ପୂର୍ବରୁ ଲୋକଜନଶକ୍ତି ପାର୍ଟି (ଏଲଜେପି )ର ପ୍ରତିଷ୍ଠାତା ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ବିୟୋଗ ନିର୍ବାଚନୀ ଗଣିତକୁ ଓଲଟପାଲଟ କରିବା ସମ୍ଭାବନା ରହିଛି । ବିହାରର ଜାତିଭିତିକ ରାଜନୀତିରେ ଅନ୍ୟତମ ଟାଣୁଆ ଦଳିତ ନେତା ଭାବେ ପରିଚିତ ପାଶ୍ୱାନଙ୍କ ଦେହାନ୍ତ ଏପରି ଏକ ସମୟରେ ହୋଇଛି , ଯେତେବେଳେ କି ପାଶ୍ୱାନଙ୍କ ପୁଅ ତଥା ଏଲଜେପି ସଭାପତି ଚିରାଗ ପାଶ୍ୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱକୁ ସ୍ୱୀକାର ନ କରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଧାନସଭା ନିର୍ବାଚନରେ ଜେଡିୟୁ ସହ ଏକତ୍ର ନ ଲଢିବାକୁ ନିଷ୍ପତି ନେଇଛି ଏଲଜେପି । କିନ୍ତୁ ବିଜେପି ସହ ଚିରାଗଙ୍ଗ କୌଣସି ଇସ୍ୟୁ ନାହିଁ । କିନ୍ତୁ ବିଜେପି ଛାଡିଥିବା ଏଲଜେପିରେ ଯୋଗ ଦେଇଥିବା ନେତାଙ୍କୁ ଟିକେଟ୍ ଦିଆଯାଇଛି । ଏଲଜେପି ୧୪୩ ଆସନରେ ଏକାକୀ ଲଢିବାକୁ ନିଷ୍ପତି ନେଇଛି ।  ରାମବିଳାସଙ୍କ ମୃତ୍ୟୁର ମାତ୍ର କେଇଦିନ ପୂର୍ବରୁ ଏପରି ଏକ ବଡ ରାଜନୈତିକ ଗ୍ୟାମ୍ବଲ ଖେଳିଥିଲେ ଚିରାଗ । ବିହାରରେ ଏନଡିଏରୁ ଓହରି ଏକାକୀ ଲଢିବା ନିଷ୍ପତି ପିତାଙ୍କ ଇଚ୍ଛା ବିରୋଧରେ ନେଇ ନ ଥିଲେ ଚିରାଗ । କାରଣ ଜଟିଳ ସ୍ୱାସ୍ଥ୍ୟାବସ୍ଥା ପାଇଁ ହସପିଟାଲରେ ଭର୍ତି ହେବା ପୂର୍ବରୁ ରାମବିଳାସ ପାଶ୍ୱାନ କହିଥିଲେ ଯେ, ପୁଅ ଚିରାଗ ଯାହା ନିଷ୍ପତି ନେବେ, ତାକୁ ସେ ସମର୍ଥନ କରିବେ ।

ଏବେ ପ୍ରଶ୍ନ ଯେ, ରାମବିଳାସ ପାଶ୍ୱାନଙ୍କ ଅବର୍ତମାନ ବିହାର ବିଧାନସଭା ନିର୍ବାଚନକୁ କେମିତି ଓ କେତେଦୂର ପ୍ରଭାବିତ କରିବ ?

ବିହାର ରାଜନୀତି ଉପରେ ଦୃଷ୍ଟି ରଖୁଥିବା କିଛି ବିଶେଷଜ୍ଞଙ୍କ ମତରେ ପାଶ୍ୱାନଙ୍କ ଦେହାନ୍ତ ପରେ ନିର୍ବାଚନୀ ପାଣିପାଗ ବଦଳିପାରେ । ପିତାଙ୍କ ମୃତ୍ୟୁ ଏଲଜେପିକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ଭାବେ ଗଢି ତୋଳିବାରେ ଚିରାଗଙ୍କୁ ସହାୟକ ହେବ । ପାଶ୍ୱାନ, ବିହାରର ଜଣେ ପୋଖତ ଦଳିତ ନେତା ଥିବାରୁ ନିର୍ବାଚନରେ ଏଲଜେପିକୁ ଏହି ଶ୍ରେଣୀର ଭୋଟରମାନଙ୍କ ଅନୁକଂପାମୂଳକ ଭୋଟ୍ ମିଳିବା ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ବିହାରରେ ମୋଟ ଭୋଟରଙ୍କ ମଧ୍ୟରୁ ୧୭ ପ୍ରତିଶତ ହେଉଛନ୍ତି ଦଳିତ । ତେବେ, ତୃଣମୂଳ ସ୍ତରରେ ଚିିରାଗ ପାଶ୍ୱାନ ଏଲଜେପିର ପାରମ୍ପରିକ ଭୋଟରମାନଙ୍କୁ ପ୍ରଭାବିତ କରିପାରିନାହାନ୍ତି ବୋଲି ଆଉ କିଛି ବିଶେଷଜ୍ଞ ମତ ଦିଅନ୍ତି ।

ଜଣେ ଆଧୁନିକ, ବିଗ୍ ସିଟି ବୟ, ଭଲ ଇଂରାଜୀ କହୁଥିବା ଯୁବ ନେତା ଭାବେ ଚିରାଗଙ୍କ ଭାବମୂର୍ତି ରହିଆସିଛି, ଯାହା କି ଯୁବ ଭୋଟରଙ୍କୁ ଆକର୍ଷିତ କରିପାରେ । ଦୁଇ ଦୁଇ ଥର ସାଂସଦ ହେଲେ ବି ଗାଁ ଗହଳିରେ ଚିରାଗଙ୍କ ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି । ତାଙ୍କୁ ‘କୋର୍ ଦଳିତ’ ଭୋଟରମାନେ କେତେଦୂର ବିଶ୍ୱାସକୁ ନେଉଛନ୍ତି, ତାହା ଦେଖିବାକୁ ଅଛି । କହିବାକୁ ଗଲେ ରାମବିଳାସଙ୍କ ମୃତ୍ୟୁ ଚିରାଗ ଓ ଏଲଜେପି ପାଇଁ ଉଭୟ ସମ୍ଭାବନା ଓ ଆହ୍ୱାନ ସୃଷ୍ଟି କରିଛି । ଚିରାଗ ପାଶ୍ୱାନଙ୍କ ଇଂରାଜୀ ସ୍ଲୋଗାନ-‘ବିହାର ଫାଷ୍ଟ, ବିହାରୀ ଫାଷ୍ଟ’

ରାମବିଳାସ ପାଶ୍ୱାନଙ୍କ ବିୟୋଗ, ଜେଡିୟୁ ଓ ବିଜେପି ପାଇଁ ମଧ୍ୟ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି । ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ନିର୍ବାଚନ ଲଢୁଥିଲେ ମଧ୍ୟ ଏଲଜେପି ଓହରିଯିବା ନେଇ ସେତେଟା ପ୍ରତିକ୍ରିୟାଶୀଳ ହୋଇନାହିଁ ବିଜେପି । କାରଣ ଜେଡିୟୁର ହାତ ଛାଡିଥିଲେ ମଧ୍ୟ ବିଜେପି ପ୍ରତି କୋହଳ ରହିଛି ଏଲଜେପି । ଚିରାଗ ପାଶ୍ୱାନଙ୍କ ଏହା ଏକ ରାଜନୈତିକ ଚତୁରତା ହୋଇପାରେ । କିନ୍ତୁ ବିଜେପି ମଧ୍ୟ ସବୁବେଳେ ଚିରାଗଙ୍କୁ ଚତୁରତାର ସହ ସାମନା କରିଛି । ସବୁଠୁ ବଡ ଅଡୁଆ ପରିସ୍ଥିତି ନୀତୀଶଙ୍କ ଜେଡିୟୁ ପାଇଁ ସୃଷ୍ଟି ହୋଇଛି । ନୀତୀଶ କୁମାରଙ୍କ ସମସାମୟିକ ଥିଲେ ରାମବିଳାସ । ଦୀର୍ଘ ବର୍ଷ ଧରି ଜେଡିୟୁ ସହ ଏନଡିଏରେ ରହିଥିଲା ଏଲଜେପି । ରାମବିଳାସଙ୍କ ମୃତ୍ୟୁ ପରେ ଜେଡିୟୁ ନେତାମାନେ ଏବେ ଏଲଜେପିକୁ ସମାଲୋଚନା କରିବା କ୍ଷେତ୍ରରେ ଅଧିକ ସତର୍କତା ଅବଲମ୍ବନ କରିବେ । ରାଜ୍ୟରେ ଏନଡିଏରୁ ଏଲଜେପି ଓହରିଯିବା ଜେଡିୟୁକୁ ସେତେଟା ପ୍ରଭାବିତ କରିବା ନାହିଁ ଜେଡିୟୁ ନେତାମାନେ ଦୃଢତାର ସହ କହୁଥିଲେ ମଧ୍ୟ ଚିରାଗଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦଳ ପାଇଁ ଯେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି ଏହା ନିଃସନ୍ଦେହରେ କୁହାଯାଇପାରିବ । ଆଉ ଏବେ ରାମବିଳାସଙ୍କ ମୃତ୍ୟୁ ଜେଡିୟୁ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ । କାରଣ ଏଲଜେପି ପ୍ରତିଷ୍ଠାତାଙ୍କ ମୃତ୍ୟୁ ଆସନ୍ତା ନିର୍ବାଚନରେ ଭିନ୍ନ ସମୀକରଣ ସୃୃଷ୍ଟି କରିପାରେ ।

 

Comments are closed.