ଚେନ୍ନାଇ ଟେଷ୍ଟ: ରୁଟ୍‌ଙ୍କ ରେକର୍ଡ ଦ୍ୱିଶତକ, ଇଂଲଣ୍ଡର ବିଶାଳ ସ୍କୋର

ଚେନ୍ନାଇ – ଅଧିନାୟକ ଜୋ ରୁଟ୍‌ଙ୍କ ରେକର୍ଡ ଦ୍ୱିଶତକ ଏବଂ ବେନ୍ ଷ୍ଟୋକ୍ସଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଏଠାରେ ଚାଲିଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ବିଶାଳ ସ୍କୋର ଛିଡ଼ା କରିଛି । ରୁଟ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ନିଜ ଶତକୀୟ ଟେଷ୍ଟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ୮ ୱିକେଟ୍ ହରାଇ ୫୫୫ ରନ୍ କରିଛି । ରୁଟ୍ ୨୧୮ ରନର ମାରାଥନ୍ ଇନିଂସ୍ ଖେଳିଥିବା ବେଳେ ଷ୍ଟୋକ୍ସ ୮୨ ରନ୍ କରିଥିଲେ । ଭାରତୀୟ ବୋଲରଙ୍କୁ ଆଜି ବି ଝାଳ ବୁହାଇବାକୁ ପଡିଥିଲା । ଦଳ ତରଫରୁ ଈଶାନ୍ତ, ବୁମରା, ଅଶ୍ୱିନ ଓ ନଦୀବ ପ୍ରତ୍ୟକ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ପୂର୍ବରୁ ଇଂଲଣ୍ଡ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୬୩/୩ରୁ ଖେଳ ଆରମ୍ଭ କରିଥିଲା । ପୂର୍ବଦିନର ଅପରାଜିତ ବ୍ୟାଟ୍‌ସମ୍ୟାନ୍ ରୁଟ୍ ଓ ଷ୍ଟୋକ୍ସ ପ୍ରଥମ ସେସନରେ ଭାରତକୁ କୌଣସି ସୁଯୋଗ ନ ଦେଇ ସ୍କୋରକୁ ଆଗେଇ ନେଇଥିଲେ । ଲଞ୍ଚ୍ ବିରତି ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୩୫୫ ରନ୍ କରିଥିଲା । ଦ୍ୱିତୀୟ ସେସନରେ ରୁଟ୍ ୮୨ ରନ୍ କରି ନଦୀମଙ୍କ ଶକିର ବନିଥିଲେ । ରୁଟ୍ ଓ ଷ୍ଟୋକ୍ସ ଚତୁର୍ଥ ୱିକେଟରେ ୧୨୪ ରନ୍ ଯୋଗ କରିଥିଲେ । ତେବେ ଜବରଦସ୍ତ ଫର୍ମରେ ଥିବା ରୁଟ୍ ନିଜ ଦ୍ୱିଶତକ ପୂରଣ କରି ଇତିହାସ ରଚିଥିଲେ ।

ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ନିଜ ଶତକୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ । ବ୍ୟକ୍ତିଗତ ୨୧୮ ରନରେ ରୁଟ୍ ଆଉଟ୍ ହୋଇଥିଲେ । ନଦୀମଙ୍କୁ ରୁଟଙ୍କ ୱିକେଟ୍ ମିଳିଥିଲା । ଓଲି ପୋପ୍ ୩୪ ରନ୍ କରି ଅଶ୍ୱିନଙ୍କ ବଲରେ ଲେଗ୍ ବିଫୋର ହୋଇଥିବା ବେଳେ ଜୋସ ବଟଲର ୩୦ ରନ କରି ଈଶାନ୍ତଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ତେବେ ଇଂଲଣ୍ଡ ୫୫୦ ରନ୍ ଟପି ନିଜ ସ୍ଥିତି ମଜବୁତ କରିନେଇଛି । ଷ୍ଟମ୍ପ ଅପସାରଣ ବେଳକୁ ଡୋମିନିକ୍ ବେସ୍ ୨୮ ଓ ଜ୍ୟାକ୍ ଲିଚ୍ ୬ ରନ୍ କରି ଅପରାଜିତ ଅଛନ୍ତି ।

Comments are closed.