ଖାଲି ହେଉଛି ରୁଷର ଅସ୍ତ୍ର ଭଣ୍ଡାର, ପୁଟିନଙ୍କ ସେନା ପାଖରେ ଏବେ ମାତ୍ର ୧୦ ଦିନର ଗୁଳିଗୋଳା ବାକି!

ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୦ ଦିନରେ ପହଞ୍ଚିଛି | ଈତି ମଧ୍ୟରେ ଦୁଇ ଦେଶ ମଧ୍ୟରେ ତିନି ରାଉଣ୍ଡ ଆଲୋଚନା ହୋଇଥିଲେ ମଧ୍ୟ ଯୁଦ୍ଧ ବନ୍ଦ କରିବା ପାଇଁ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ | ଏଭଳି ସ୍ଥିତିରେ ଉଭୟ ଦେଶ ବହୁତ କ୍ଷତି ସହୁଛନ୍ତି। ସୈନିକଙ୍କ ମୃତ୍ୟୁ ସହ ଉଭୟ ଦେଶର ଅସ୍ତ୍ର ଭଣ୍ଡାର ମଧ୍ୟ ଖାଲି ହେବାରେ ଲାଗିଛି।

ରୁଷ ପାଖରେ ଏବେ ମାତ୍ର ୧୦ ଦିନର ଗୁଳିଗୋଳା ହିଁ ରହିଛି। ଆମେରିକାର ଜଣେ ପୂର୍ବତନ ସେନା ଅଧିକାରୀ ବେନ ହୋଡେଜ୍ ଏଭଳି ଦାବି କରିଛନ୍ତି । ଏପରି ପରିସ୍ଥିତିରେ ଯଦି ଏହି ଯୁଦ୍ଧ ଦୀର୍ଘ ସମୟ ଧରି ଚାଲେ ତେବେ ରୁଷ ସେନା ପକ୍ଷେ ୟୁକ୍ରେନର ମୁକାବିଲା କରିବା ବେଶ୍ କଷ୍ଟକର ହେବ । ହୋଡେଜ୍ କହିଛନ୍ତି ଯେ ଏହା ଏକ କ୍ବିକ୍ ଅପରେସନ୍ ଥିଲା, ଯାହା ଯୁଦ୍ଧରେ ପରିଣତ ହୋଇଛି |

ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରୁଥିବା ରୁଷର ରଣନୀତି ପ୍ରତ୍ୟେକ ଦିଗରେ ବିଫଳ ହେଉଛି। ରୁଷ ଭାବିଥିଲା ଯେ ମାତ୍ର ଦୁଇ-ତିନି ଦିନ ମଧ୍ୟରେ ୟୁକ୍ରେନ ଉପରେ କବଜା କରିଦେବ ବୋଲି । କିନ୍ତୁ ରୁଷକୁ ୟୁକ୍ରେନ କଡ଼ା ଟକ୍କର ଦେଇଛି । ଆମେରିକା ମଧ୍ୟ ଦାବି କରିଛି ଯେ ଏହି ଯୁଦ୍ଧ ପୁଟିନଙ୍କ କ୍ରୋଧର ପରିଣତି । କାରଣ ସେ ଭାବିଥିଲେ ଯେ ସେ ଦୁଇ ଦିନ ମଧ୍ୟରେ ୟୁକ୍ରେନ ଦଖଲ କରିନେବେ।

ଯୁଦ୍ଧ ମଧ୍ୟରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି । ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ଚୀନ୍‌ ଠାରୁ ରୁଷ କୁଆଡେ଼ ସହାୟତା ମାଗିଥିବା କୁହାଯାଉଛି। ତେବେ ଚୀନ୍ ଏବଂ ରୁଷ ଏହାକୁ ଅସ୍ୱୀକାର କରିଛନ୍ତି। ଆମେରିକାର ଏହା ଏକ ଅପପ୍ରଚାର ବୋଲି ଉଭୟ ଚୀନ୍ ଓ ରୁଷ କହିଛନ୍ତି । ଯଦି ଚୀନ୍ ରୁଷକୁ ସାହାଯ୍ୟ କରେ ତେବେ ଏଥିପାଇଁ ଏହାକୁ ଭୟଙ୍କର ପରିଣତି ଭୋଗିବାକୁ ପଡିବ ବୋଲି ଆମେରିକା ଚେତାବନୀ ଦେଇଛି ।

Comments are closed.