କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟା : ଏସସିବିକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଳର ପ୍ରଶସ୍ତିକରଣ ରାସ୍ତା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ- ସିଲଭର ସିଟି କଟକର ନବକଳେବର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ତାଳଦଣ୍ଡା କେନାଳର ପ୍ରଶସ୍ତିକରଣ ରାସ୍ତା ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ ପ୍ରଶସ୍ତିକରଣ ହୋଇଥିବା ତାଳଦଣ୍ଡା କେନାଳର ଉଭୟ ପାଶ୍ୱର୍ର ରାସ୍ତାର ଉଦଘାଟନ କରିଛନ୍ତି । ଏହି ବର୍ଷ ମାର୍ଚ୍ଚ ୫ ତାରିଖରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ନବୀନ । ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସପିଟାଲକୁ ସଂଯୋଗ କରେ ଏହି ରାସ୍ତା । ଏହି ରାସ୍ତା ଯୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଳର ଉଭୟ ପାଶ୍ୱର୍ରୁ ପ୍ରଶସ୍ତିକରଣ କରାଯାଇ ତିନି ଥାକିଆ କରାଯାଇଛି । ରାସ୍ତା ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟବ ବଡ ଡାକ୍ତରଖାନା ଗୁଣାତ୍ମକ ଚିକିତ୍ସା ପାଇଁ ରାଜ୍ୟ ବାହାରେ ବି ଖ୍ୟାତ । କମ୍ ଜାଗା ସହରର ମୁଖ୍ୟ ସମସ୍ୟା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହାର ସମାଧାନ କରାଯିବ ବୋଲି କହିଛନ୍ତି । ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କଟକ ସହରକୁ ଆଧୁନିକ ରୂପ ଦେବା ଉପରେ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ନବୀନ କହିଛନ୍ତି । ରେକର୍ଡ ୭ ମାସ ମଧ୍ୟରେ ଓ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରାସ୍ତା ଦ୍ୱାରା କଟକ ସହର ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା ଏସସିବିରେ ପହଂଚିପାରିବେ । ଏସସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ଦୃଢ ସଂକଳ୍ପ ନେଇଛନ୍ତି । ଏହାର ଶୁଭାରମ୍ଭ ତାଳଦଣ୍ଡା କେନାଳର ନୂଆ ରାସ୍ତାରୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ରାସ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Comments are closed.