ବରିଷ୍ଠ କଂଗ୍ରେସ ନେତା ମାଧବ ସିଂହ ସୋଲାଙ୍କିଙ୍କ ଦେହାନ୍ତ

ଅହମ୍ମଦାବାଦ – କଂଗ୍ରେସର ବରିଷ୍ଠ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂହ ସୋଲାଙ୍କିଙ୍କ ଶନିବାର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କଂଗ୍ରେସର ଜଣେ ବଡ଼ ନେତା ଭାବେ ପରିଚିତ ସୋଲାଙ୍କି ଗୁଜରାଟର ଚାରିଥର ମୁଖ୍ୟମନ୍ତ୍ରୀ ଥିଲେ । ସେ ମଧ୍ୟ ଭାରତର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ସୋଲାଙ୍କିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ସୋଲାଙ୍କି ବହୁ ଦଶକ ପର୍ଯ୍ୟନ୍ତ ଗୁଜରାଟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସମାଜର କଲ୍ୟାଣ ପାଇଁ ତାଙ୍କ ଯୋଗଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ମୋଦି ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ସୋଲାଙ୍କିଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ରାହୁଲ କହିଛନ୍ତି, ମାଧବସିଂହ ସୋଲାଙ୍କିଙ୍କ ବିୟୋଗରେ ସେ ଦୁଃଖିତ । କଂଗ୍ରେସର ବିଚାରଧାରାକୁ ମଜବୁତ କରିବା ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବାରେ ସୋଲାଙ୍କିଙ୍କ ଯୋଗଦାନକୁ ସ୍ମରଣ କରାଯିବ । ଶୋକସନ୍ତପ୍ତ ପରିବାର ଲୋକଙ୍କୁ ମୋର ସମବେଦନା ବୋଲି ରାହୁଲ ଟ୍ୱିଟ କରିଛନ୍ତି ।

Comments are closed.