ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିକାଣ୍ଡ, ଓକିଲ ବେଶରେ ଆସି ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କଲେ, ପୋଲିସ ଗୁଳିରେ ଦୁଇ ଆକ୍ରମଣକାରୀ ନିହତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜିତେନ୍ଦ୍ର ଗୋଗି ନାମକ ଜଣେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଛି । ଜିତେନ୍ଦ୍ର ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ । ଏହି ଗୁଳିକାଣ୍ଡରେ ତିନିରୁ ଚାରି ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଗୁଳି ଚଳାଇଥିବା ଦୁଇ ଜଣ ଦୁର୍ବୃତ୍ତ ନିହତ ହୋଇଥିବା ଜଣାପଡିଛି ।

ପୋଲିସ ଗୁଳିରେ ନିହତ ଦୁଇ ଦୁର୍ବୃତ୍ତ ଟିଲୁ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏମାନେ ଓକିଲ ପୋଷାକରେ ରୋହିଣୀ କୋର୍ଟରେ ପ୍ରବେଶ କରିଥିଲେ ଏବଂ ଜିତେନ୍ଦ୍ର ଗୋଗୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଜିତେନ୍ଦ୍ର ଗୋଗୀଙ୍କ ମୃତ୍ୟୁ ହୋଇଥିଲା। ଟିଲୁ ଗ୍ୟାଙ୍ଗର ସଦସ୍ୟଙ୍କ ନାମ ପୋଲିସ ଯାଞ୍ଚ୍ କରୁଛି। ଜିତେନ୍ଦ୍ର ଗୋଗୀ ଓ ଟିଲୁ ଗ୍ୟାଙ୍ଗ୍ ମଧ୍ୟରେ ପୁରୁଣା ଶତ୍ରୁତା ଥିଲା ବୋଲି କୁହାଯାଉଛି । ରାଜଧାନୀରେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ଦିଲ୍ଲୀର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ ଜିତେନ୍ଦ୍ର ଗୋଗୀ ଥିଲେ ଅନ୍ୟତମ। ଦିଲ୍ଲୀ ପୋଲିସ ତାଙ୍କ ଉପରେ ୪ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲା। ହରିୟାଣା ପୋଲିସ ମଧ୍ୟ ତାଙ୍କ ଉପରେ ୨.୫ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା। ଦିଲ୍ଲୀର ନରେଲା ଅଞ୍ଚଳରେ ସ୍ଥାନୀୟ ନେତା ବିରେନ୍ଦ୍ର ମାନଙ୍କ ହତ୍ୟାରେ ଗୋଗି ଏବଂ ତାଙ୍କ ଲୋକ ସମ୍ପୃକ୍ତ ଥିଲେ। ଜିତେନ୍ଦ୍ର ଓରଫ୍ ଗୋଗି ମଧ୍ୟ ହରିୟାଣାର ପ୍ରସିଦ୍ଧ ଗାୟକ ହର୍ଷିତା ଦହିଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଏବଂ ହରିୟାଣା ଭଳି ରାଜ୍ୟରେ ଏହି ଗ୍ୟାଙ୍ଗଷ୍ଟର ପୋଲିସର ଟାର୍ଗେଟରେ ଥିଲା।

Comments are closed.