ଶ୍ରେୟସ୍ ଆୟର କୋଲକାତା ନାଇଟ୍ ରାଇଡର୍ସର ନୂଆ ଅଧିନାୟକ

ନୂଆଦିଲ୍ଲୀ: ଦୁଇଥର ଆଇପିଏଲ୍ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଶ୍ରେୟସ୍ ଆୟରଙ୍କୁ ନିଜର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି। ବୁଧବାର ଜଳ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ନିକଟରେ ଅନୁଷ୍ଠିତ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା | ଗତ ସିଜନରେ ଇୟନ୍ ମୋର୍ଗାନ୍ ଦଳର ଅଧିନାୟକ ହୋଇଥିଲେ । ତେବେ କେକେଆର୍ ତାଙ୍କୁ ନିଲାମ ପୂର୍ବରୁ ରିଲିଜ୍ କରିଦେଇଥିଲା । ନିଲାମରେ ମଧ୍ୟ ଦଳ ମୋର୍ଗାନଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇନଥିଲା । ଆୟର୍ ଏବେ ଭାରତୀୟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ଏହାଛଡ଼ା ତାଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ମଧ୍ୟ ବିବେଚିତ କରାଯାଏ । ସେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଚମତ୍କାର ୮୦ ରନ୍ ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ ।

ଏପରିକି ସେ ଆଇପିଏଲ୍-୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲ୍ ନେଇଥିଲେ | ଆଇପିଏଲ୍ ର ୨୦୨୧ ସିଜନ୍ ଆରମ୍ଭ ପୂର୍ବରୁ ସେ ଆହତ ହୋଇଥିଲେ ଏବଂ ପ୍ରାରମ୍ଭିକ କିଛି ମ୍ୟାଚରୁ ବାଦ୍ ପଡ଼ିଥିଲେ |

ତାଙ୍କ ଅନୁପସ୍ଥିତିରେ ଦିଲ୍ଲୀ ବାଧ୍ୟ ହୋଇ ରିଷଭ ପନ୍ତଙ୍କୁ ଦଳର ଅଧିନାୟକ କରିଥିଲା, କିନ୍ତୁ ଆୟର ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଆଉ ଅଧିନାୟକ ପଦ ଦିଆଯାଇନଥିଲା। ଏଥିରେ ଆୟର ଅସନ୍ତୁଷ୍ଟ ଥିଲେ | ଯେତେବେଳେ ମେଗା ନିଲାମ ପାଇଁ ସମୟ ଆସିଲା, ସେ ଦଳରୁ ନିଜକୁ ଦୂରେଇ ରଖିଲେ | ନୂଆ ଦଳ ତାଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ତାଙ୍କୁ ଅଧିନାୟକ ପଦ ନ ମିଳିବାରୁ ସେ ନୂଆ ଦଳ ସହ ଯୋଗ ଦେଇନଥିଲେ। ବର୍ତ୍ତମାନ ତାଙ୍କ ଅବଶୋଷ ପୂରଣ ହୋଇଛି। ଗତ ସିଜନରେ ଇଂଲଣ୍ଡର ଅଧିନାୟକ ଇୟନ୍ ମୋର୍ଗାନ୍ ଦଳର ନେତୃତ୍ୱ ନେଇଥିବାବେଳେ ଦୀନେଶ କାର୍ତ୍ତିକ ଏହା ପୂର୍ବରୁ ଅଧିନାୟକ ଥିଲେ। ଏଥର ଉଭୟ ଖେଳାଳି ଏ ଦଳରେ ନାହାଁନ୍ତି।

ଶ୍ରେୟସ୍ ଆୟର ଆଇପିଏଲରେ ମୋଟ ୮୭ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୩୧.୬୭ ଆଭରେଜରେ ୨୩୭୫ ରନ୍ କରିଛନ୍ତି | ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୨୩.୯୬ ରହିଛି। ତାଙ୍କ ନାମରେ ୧୬ଟି ଅର୍ଦ୍ଧଶତକ ଥିବାବେଳେ ତାଙ୍କର ଶ୍ରେଷ୍ଠ ସ୍କୋର ହେଉଛି ୯୬ |

Comments are closed.