ପଞ୍ଜଶୀର ଉପତ୍ୟକାକୁ ଦଖଲକୁ ନେଇଥିବା ତାଲିବାନର ଦାବି, ବିଦ୍ରୋହୀ ଗୋଷ୍ଠୀର ଖଣ୍ଡନ

ନୂଆଦିଲ୍ଲୀ: କାବୁଲର ଉତ୍ତରରେ ଥିବା ପଞ୍ଜଶୀର
ଉପତ୍ୟକାକୁ ତାଲିବାନ ଦଖଲ କରିଥିବା ଦାବି କରିଛି। ପଞ୍ଜଶୀର ହେଉଛି ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ଯାହା ତାଲିବାନର ନିୟନ୍ତ୍ରଣକୁ ଆସିପାରିନଥିଲା । ଜଣେ ତାଲିବାନ କମାଣ୍ଡର କହିଛନ୍ତି, ” ଆଲ୍ଲାଙ୍କ ଅନୁଗ୍ରହରେ ଆମେ ସମଗ୍ର ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେଇଛୁ। ତେବେ ତାଲିବାନର ଏହି ଦାବି କେତେ ସତ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ବିଦ୍ରୋହୀ ଗୋଷ୍ଠୀ ‘ନର୍ଦର୍ନ ଆଲାଏନ୍ସ’ ତାଲିବାନର ଦାବିକୁ ଖଣ୍ଡନ କରିଛନ୍ତି। ବିରୋଧୀ ଦଳର ଅନ୍ୟତମ ନେତା ଅମ୍ରୁଲ୍ଲା ସାଲେହ ଟେଲିଭିଜନ ଷ୍ଟେସନ ଟୋଲୋ ନ୍ୟୁଜକୁ କହିଛନ୍ତି ଯେ ସେ ଦେଶ ଛାଡି ପଳାଇଥିବା ଖବର ମିଥ୍ୟା ଅଟେ। ତାଙ୍କ ଦ୍ବାରା ପଠାଯାଇଥିବା ଭିଡିଓ କ୍ଲିପ୍‌ରେ ସାଲେହ କହିଛନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଏକ କଠିନ ସ୍ଥିତିରେ ଅଛୁ। ଆମେ ତାଲିବାନ ଆକ୍ରମଣର ସାମ୍ନା କରୁଛୁ।

ସେ ଟ୍ୱିଟ୍ କରି କହିଛନ୍ତି: “ପ୍ରତିରୋଧ ଜାରି ରହିଛି ଏବଂ ଜାରି ରହିବ। ମୁଁ ମୋର ମାଟି ସହ, ମୋର ମାଟି ପାଇଁ ଏବଂ ଏହାର ସମ୍ମାନକୁ ସବୁଦିନ ପାଇଁ ରକ୍ଷା କରିବି।”

ତାଙ୍କ ପୁଅ ଇବଦୁଲ୍ଲା ସାଲେହ ମଧ୍ୟ ପଞ୍ଜଶୀର ଘାଟିକୁ ତାଲିବାନ ଦଖଲ କରିଥିବା ଖବରକୁ ଖଣ୍ଡନ କରିଛନ୍ତି ।

ବିଦ୍ରୋହୀ ଗୋଷ୍ଠୀର ଅନ୍ୟ କେତେକ ନେତା ମଧ୍ୟ ତାଲିବାନର ପଞ୍ଜଶୀର ଦଖଲ କରିଥିବା ଖବରକୁ ଖଣ୍ଡନ କରିଛନ୍ତି । ତେବେ ସେଠାରେ ବିଦ୍ରୋହୀ ଗୋଷ୍ଠୀ ଏବଂ ତାଲିବାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଉଭୟ ପକ୍ଷର ଅନେକ ମୃତାହତ ହୋଇଥିବା ଖବର ମିଳିଛି ।

ପଞ୍ଜଶୀର ହେଉଛି ଏକ ଦୁର୍ଗମ ଉପତ୍ୟକା ଯେଉଁଠାରେ ଆଞ୍ଚଳିକ ମିଲିସିଆର ଅନେକ ହଜାର ଯୋଦ୍ଧା ଉପସ୍ଥିତ ଅଛନ୍ତି | ଆଫଗାନିସ୍ତାନର ସବୁ ପ୍ରମୁଖ ସହର ଓ ପ୍ରଦେଶ ଦ୍ରୁତଗତିରେ ଦଖଲ କରିବା ପରେ ତାଲିବାନ ୧୫ ଅଗଷ୍ଟରେ ରାଜଧାନୀ କାବୁଲକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଥିଲା । ହେଲେ ପଞ୍ଜଶୀରକୁ ଛୁଇଁ ପାରିନଥିଲା ତାଲିବାନ ।

Comments are closed.