କରୋନା ଟିକା ନେଇ ବିଭ୍ରାନ୍ତିକର ତଥ୍ୟ ହଟାଇବ ଟ୍ୱିଟର

ୱାଶିଂଟନ – ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଘୋଷଣା କରିଛି ଯେ, କୋଭିଡ୍‌-୧୯ ଟିକା ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଏହାର ପ୍ଲାଟଫର୍ମରୁ ହଟାଯିବ । ଆସନ୍ତା ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଟ୍ୱିଟର ତରଫରୁ କୁହାଯାଇଛି । ଟ୍ୱିଟରରେ ଗତ କିଛି ମାସ ଧରି କରୋନା ଭାଇରସ ଓ ଏହି ମହାମାରୀ ସମ୍ପର୍କିତ ବହୁ ମିଛ, ଭିତ୍ତିହୀନ ତଥା ବିଭ୍ରାନ୍ତିକର ତଥ୍ୟ ପୋଷ୍ଟ କରାଯାଉଛି । ଏଭଳି ପୋଷ୍ଟ ପ୍ରତି ଟ୍ୱିଟର କଡ଼ା ଆଭିମୁଖ୍ୟ ଆପଣାଇଛି । ଯଦି ଲୋକମାନେ ଏଭଳି ଭିତ୍ତିହୀନ ଟ୍ୱିଟ କରିବେ ତେବେ ଏଗୁଡିକୁ ହଟାଇ ଦିଆଯିବ ନଚେତ୍ ହାଇଡ୍ କରାଯିବ ବୋଲି ଟ୍ୱିଟର କହିଛି । ଟ୍ୱିଟର ଭଳି ଫେସବୁକ୍ ଏବଂ ୟୁଟ୍ୟୁବ୍ ମଧ୍ୟ କୋଭିଡ୍‌-୧୯ ସମ୍ପର୍କିତ ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ହଟାଇବେ ବୋଲି ଘୋଷଣା କରିଛନ୍ତି । ନିକଟରେ ଆମେରିକାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ଦେଶରେ କରୋନା ସ୍ଥିତି ଉଦବେଗଜନକ ରହିଛି । ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ତିନି ଲକ୍ଷ ଟପିଛି । ଏବେ ପ୍ରତି ଦିନ ଏହି ରୋଗରୁ ପାଖାପାଖି ୩୦୦୦ ଲୋକ ପ୍ରାଣ ହରାଉଛନ୍ତି ।

Comments are closed.