ହରିୟାଣା: ବୋଲେରୋ ଭିତରୁ ମିଳିଲା ଦୁଇ ନରକଙ୍କାଳ, ଜିଅନ୍ତା ଜାଳି ହତ୍ୟା ଅଭିଯୋଗ, ବଜରଙ୍ଗ ଦଳକୁ ଦାୟୀ କଲେ ପରିବାର ଲୋକ

ନୂଆଦିଲ୍ଲୀ: ହରିୟାଣାର ଭବାନୀ ଜିଲ୍ଲାର ଲୋହାରୁରେ ଏକ ବୋଲେରୋରୁ ଦୁଇଟି ନର କଙ୍କାଳ ମିଳିଛି । ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅପହରଣ ପରେ ଦୁଇଜଣ ଲୋକଙ୍କୁ ବୋଲୋରୋ ଭିତରେ ଜିଅନ୍ତା ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଭବାନୀ ଜିଲ୍ଲାର ଲୋହରୁ ଜଙ୍ଗଲରେ ଏକ ବୋଲେରୋରୁ ଦୁଇ ଲୋକଙ୍କ ଦଗ୍ଧ ମୃତଦେହ ମିଳିଥିଲା । ଉଭୟ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ସେମାନଙ୍କ କଙ୍କାଳ ଗାଡ଼ି ପଛପଟ ସିଟରେ ପଡ଼ିଥିଲା । ଗାଡି ସଂଖ୍ୟା ଆଧାରରେ ପୋଲିସ ଯାଞ୍ଚ୍ କରି ଜାଣିବାକୁ ପାଇଥିଲା ଯେ ଫିରୋଜପୁର ଝିରକାର ମାହୁ ଗାଁ ବାସିନ୍ଦା ହସିନଙ୍କ ନାମରେ ବୋଲେରୋ ରେଜିଷ୍ଟ୍ରେସନ ହୋଇଛି। ମୃତକଙ୍କ ପରିଚୟ ମିଳିଛି । ମୃତକ ଦ୍ବୟ ରାଜସ୍ଥାନର ଭରତପୁର ଜିଲ୍ଲାର ଗୋପାଳଗଞ୍ଜ ଥାନା ଅନ୍ତର୍ଗତ ଘାଟମିକା ଗାଁର ବାସିନ୍ଦା ଜୁନୈଦ ଏବଂ ନାସିର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ନାସିର ଏହି ବୋଲେରୋ ହାସିନଙ୍କଠୁ ମାଗି ନେଇଥିଲେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଜୁନୈଦ ଏବଂ ନାସିରଙ୍କୁ ବଜରଙ୍ଗ ଦଳ ତଥା ଗୋରକ୍ଷକ ଗୋଷ୍ଠୀର କିଛି ଲୋକ ଅପହରଣ କରି ବୋଲେରୋ ସହ ଜିଅନ୍ତା ଜାଳି ଦେଇଛନ୍ତି ।

ମୃତ ଜୁନୈଦଙ୍କ ଭାଇ ଜାଫର ତାଙ୍କ ଅଭିଯୋଗରେ ପୋଲିସକୁ କହିଛନ୍ତି ଯେ ତାଙ୍କ ଭାଇ ଜୁନୈଦ ସେହି ଗାଁର ହିଁ ନାସିରଙ୍କ ସହ ବୋଲେରୋରେ ଭରତପୁର ନିକଟସ୍ଥ ପିରୁକା ଜୋଥ୍ରି ଗାଁକୁ ଯାଇଥିଲେ। ସେଠାରେ ବଜରଙ୍ଗ ଏବଂ ଗୋରକ୍ଷକ ଦଳ ତାଙ୍କୁ ଅପହରଣ କରି ପିରୁକା ଗାଁର ଜଙ୍ଗଲକୁ ନେଇ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ସେମାନେ ଉଭୟଙ୍କୁ ଅଚେତ ଅବସ୍ଥାରେ ହରିୟାଣାର ଲୋହରୁକୁ ନେଇ ବୋଲେରୋ ଭିତରେ ଜିଅନ୍ତା ଜାଳି ଦେଇଥିଲେ। ମୃତ ଜୁନୈଦଙ୍କ ଭାଇ ଜାଫର ଏହି ଘଟଣାରେ ବଜରଙ୍ଗ ଦଳର ଗାସୁରକ୍ଷା ବିଭାଗର ରାଜ୍ୟ ସଂଯୋଜକ ମୋନୁ ନୁହ, ଶ୍ରୀକାନ୍ତ ଏବଂ ଲୋକେଶ ସିଙ୍ଗଲାଙ୍କ ସମେତ ଆଠରୁ ଦଶ ଜଣଙ୍କୁ ଦାୟୀ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Comments are closed.