ନରମିଲା ଜାତିସଂଘ ସୁରକ୍ଷା ପରିଷଦ, ଆତଙ୍କବାଦ ସମ୍ବନ୍ଧୀୟ ବୟାନରୁ ବାଦ୍ ଦିଆଗଲା ତାଲିବାନ ନାଁ

ନୂଆଦିଲ୍ଲୀ: ତାଲିବାନ ପ୍ରତି ନରମ ପଡ଼ିଛି ଜାତିସଂଘ ସୁରକ୍ଷା ପରିଷଦ । ଆଫଗାନିସ୍ତାନ ରାଜଧାନୀ କାବୁଲ ଦଖଲ କରିବାର ଦୁଇ ସପ୍ତାହ ପରେ ତାଲିବାନ ପ୍ରତି ଜାତିସଂଘ ସୁରକ୍ଷା ପରିଷଦର ଆଭିମୁଖ୍ୟ ବଦଳିବା ସଙ୍କେତ ମିଳିଛି । ତାଲିବାନ କାବୁଲ ଦଖଲ କରିବାର ଦିନକ ପରେ ଅଗଷ୍ଟ ୧୬ରେ ଆଫଗାନିସ୍ତାନ ଉପରେ ଜାତିସଂଘ ସୁରକ୍ଷା ପରିଷଦ ଏକ ବୟାନ ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ ତାଲିବାନ ନିଜ ଅଞ୍ଚଳରେ ଆତଙ୍କବାଦକୁ ସମର୍ଥନ ନ କରୁ । ଏହି ବିବୃତିରୁ ଏବେ ଜାତିସଂଘ ‘ତାଲିବାନ’ ଶବ୍ଦକୁ ହଟାଇ ଦେଇଛି । ଏଥିରୁ ଆଭାସ ମିଳୁଛି ଯେ ତାଲିବାନ ପ୍ରତି ଏବେ ବିଶ୍ୱ ସମୁଦାୟର ଆଭିମୁଖ୍ୟ ବଦଳୁଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ସମ୍ପ୍ରତି ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛି । ତାଲିବାନ ସମ୍ବନ୍ଧୀୟ ଜାତିସଂଘର ସଂଶୋଧିତ ବୟାନରେ ଭାରତ ମଧ୍ୟ ସ୍ୱାକ୍ଷର କରିଛି । ଅଗଷ୍ଟ ୨୬ରେ ଜାରି ସଦ୍ୟତମ ବିବୃତିରେ ଜାତିସଂଘ କାବୁଲ ଏୟାରପୋର୍ଟରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛି । ଏହି ଆତଙ୍କୀ ଆକ୍ରମଣରେ ଆମେରିକା ସୈନିକଙ୍କ ସହ ୧୭୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍‌ର ଆଫଗାନିସ୍ତାନ ଶାଖା ‘ଆଇଏସ୍‌-ଖୋରେସାନ’ ନିଜକୁ ଦାୟୀ କରିଥିଲା । ଏହି ଆତ୍ମଘାତୀ ବିସ୍ଫୋରଣର ବଦଲା ନେବା ପାଇଁ ଆମେରିକା ଶନିବାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆଇଏସ୍ ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ କାବଲ ଏୟାରପୋର୍ଟ ଆକ୍ରମଣର ମାଷ୍ଟର ମାଇଣ୍ଡ ନିହତ ହୋଇଥିବା ଆମେରିକା ଦାବି କରିଥିଲା ।

Comments are closed.