ଟିକାକୁ ନେଇ ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଆରୋପ- ପ୍ରତ୍ୟାରୋପ

ନୂଆଦିଲ୍ଲୀ – ଟିକାକରଣ ପୂର୍ବରୁ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ପରସ୍ପରର ଟିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତର ଡ୍ରଗ୍ସ ନିୟନ୍ତ୍ରକ ‘ଡିସିଜିଆଇ’ ଉଭୟ ସେରମ ଓ ଭାରତ ବାୟୋଟେକ୍‌ର ଟିକାକୁ ଦେଶରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ସେରମ୍ ଭାରତରେ ପ୍ରସ୍ତୁତ କରୁଛି । ସେରମ ଦ୍ୱାରା ବିକଶିତ ଟିକା ଭାରତରେ ‘କୋଭିସିଲ୍ଡ’ ଭାବେ ନାମିତ ହୋଇଛି । ଅନ୍ୟପଟେ ଆଇସିଏମଆର ସହଯୋଗରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ନାମକ ଟିକା ପ୍ରସ୍ତୁତ କରିଛି । ଏହି ଟିକାକୁ ସ୍ୱଦେଶୀ ଟିକା ମଧ୍ୟ କୁହାଯାଉଛି । ହେଲେ ଉଭୟ କମ୍ପାନୀ ପରସ୍ପରର ଟିକାର ପ୍ରଭାବ ନେଇ ପ୍ରଶ୍ନ କରିବା ଟିକାକରଣ ପୂର୍ବରୁ କେନ୍ଦ୍ର ସରକାରଙ୍କ ପାଇଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

ସେରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲାଙ୍କ ନାମ ନ ନେଇ ଭାରତ ବାୟୋଟେକ୍ ଏମ୍‌ଡି କୃଷ୍ଣା ଏଲା କହିଛନ୍ତି, କିଛି କମ୍ପାନୀ ଆମ ଦ୍ୱାରା ବିକଶିତ ଟିକାକୁ ପାଣି ସହ ତୁଳନା କରିଛନ୍ତି । ଆମେ ବୈଜ୍ଞାନିକ । ଏଭଳି ଅଭିଯୋଗକୁ ଆମେ ଖଣ୍ଡନ କରୁଛୁ । ଏଲା ଆଷ୍ଟ୍ରାଜେନେକା ଟିକାର ଟ୍ରାଏଲ ଉପରେ ପ୍ରଶ୍ନ୍ ଉଠାଇଛନ୍ତି । ଏଲା ଅଭିଯୋଗ କରିଛନ୍ତି, ଟିକାର ପାଶ୍ୱର୍ ପ୍ରତିକ୍ରିୟାକୁ ଘୋଡାଇବା ପାଇଁ ଟ୍ରାଏଲରେ ଆଷ୍ଟ୍ରାଜେନେକା ପାରାସିଟାମଲ ବ୍ୟବହାର କରିଥିଲା ।

ଏହାପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ସିିଇଓ ଆଦର ପୁନାୱାଲା କହିଥିଲେ ଯେ କରୋନା ମହାମାରୀକୁ ରୋକିବା ପାଇଁ କେବଳ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା, ଫାଇଜର ଓ ମଡେର୍ଣ୍ଣା ଟିକା ହିଁ ପ୍ରଭାବୀ । ବାକି ସବୁ ଟିକା କେବଳ ପାଣି ସଦୃଶ ।

ଭାରତ ବାୟୋଟେକର ଟିକାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କଂଗ୍ରେସ ଓ କିଛି ବିରୋଧୀ ଦଳ ନେତା ‘କୋଭାକ୍ସିନ’କୁ ମଞ୍ଜୁରି ଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି । ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇନଥିବା ସତ୍ତ୍ୱେ ଏହି ଟିକାକୁ କିପରି ମଞ୍ଜୁୁରି ମିଳିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ । କିନ୍ତୁ ଭାରତ ବାୟୋଟେକ୍ ଏମ୍‌ଡି ଏଲା ସବୁ ସନ୍ଦେହକୁ ଖଣ୍ଡନ କରି ତାଙ୍କ କମ୍ପାନୀ ଦ୍ୱାରା ବିକଶିତ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରଭାବୀ ବୋଲି ଦାବି କରିଛନ୍ତି ।

Comments are closed.