ଅକ୍ସିଜେନ ଅଭାବ ନେଇ ଚରମବାଣୀ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ, ଅକ୍ସିଜେନ ଯୋଗାଣ ଯିଏ ରୋକିବ ତାକୁ ଆମେ ଫାଶୀ ଦେବୁ

ନୂଆଦିଲ୍ଲୀ: ଅକ୍ସିଜେନ ସମସ୍ୟା ନେଇ ଦିଲ୍ଲୀ ହାଇକୋର୍ଟ ଆଜି ଚରମ ବାଣୀ ଶୁଣାଇଛନ୍ତି । ଯଦି କେନ୍ଦ୍ର, ରାଜ୍ୟ କିମ୍ବା ସ୍ଥାନୀୟ ପ୍ରଶାସନର କୌଣସି ଅଧିକାରୀ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରନ୍ତି, ତେବେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀ ଦେବୁ ବୋଲି କୋର୍ଟ କହିଛନ୍ତି । ମହାରାଜା ଅଗ୍ରସେନ୍ ହସ୍ପିଟାଲର ଏକ ଆବେଦନ ଉପରେ ଶୁଣାଣି ବେଳେ ଜଷ୍ଟିସ୍ ବିପିନ୍ ସାଙ୍ଘୀ ଏବଂ ଜଷ୍ଟିସ୍ ରେଖା ପାଲୀଙ୍କ ଖଣ୍ଡପୀଠ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି । ଗୁରୁତର ଅସୁସ୍ଥ କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ ସମ୍ପର୍କରେ ଅଗ୍ରସେନ୍ ହସ୍ପିଟାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ଅକ୍ସିଜେନ ଯୋଗାଣରେ କିଏ ବାଧା ସୃଷ୍ଟି କରୁଛି ତାହା ଜଣାଇବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଖଣ୍ଡପୀଠ କହିଥିଲେ ଯେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀଖୁଣ୍ଟରେ ଝୁଲାଇଦେବୁୁୁ। ଆମେ କାହାକୁ ବି ଛାଡିବୁନି । ଦିଲ୍ଲୀ ସରକାରଙ୍କୁ କୋର୍ଟ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନର ଏପରି ଦୋଷୀ ଅଧିକାରୀଙ୍କ ବିଷୟରେ କେନ୍ଦ୍ରକୁ ମଧ୍ୟ ସୂଚନା ଦିଅ ଯାହା ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ଦିଲ୍ଲୀକୁ ପ୍ରତିଦିନ ୪୮୦ ମେଟ୍ରିକ୍ ଟନ୍ ଅମ୍ଳଜାନ କେବେ ମିଳିବ ବୋଲି କେନ୍ଦ୍ରକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି ଯେ ଆପଣ (କେନ୍ଦ୍ର) ଆମକୁ ଆଶ୍ୱାସନା ଦେଇଥିଲେ (୨୧ ଏପ୍ରିଲରେ) ପ୍ରତିଦିନ ୪୮୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଦିଲ୍ଲୀକୁ ପଠାଯିବ। ଏହା କେବେ ଆସିବ ଆମକୁ କୁହ?

ଅକ୍ସିଜେନ ଅଭାବରୁ ଆଜି ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ପୁଣି ୨୩ ରୋଗୀ ପ୍ରାଣ ହରାଇଥିଲେ । ରାଜଧାନୀର ଅଧିକାଂଶ ହସ୍ପିଟାଲରେ ଅକ୍ସିଜେନ ଘୋର ଅଭାବ ଦେଖାଦେଇଛି ।

Comments are closed.