ଆଜି କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ମିଳିପାରେ ଚୂଡାନ୍ତ ଅନୁମୋଦନ

ନୂଆଦିଲ୍ଲୀ – ଅକ୍ସଫୋର୍ଡର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକାର ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ମଞ୍ଜୁରି ଦେବାକୁ ସୁପାରିସ୍ କରିଛି । ଆଜି ଏହି ଦୁଇ ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ଙ୍କ ଠାରୁ ଚୂଡ଼ାନ୍ତ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ଆଜି ଦିନ ୧୧ଟାରେ ଡିସିଜିଆଇ ଏକ ସାମ୍ବାଦିକ ସମ୍ମଳିନୀରେ ଏନେଇ ଘୋଷଣା କରିପାରନ୍ତି ।

ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗନାଇଜେସନ୍ (ସିଡିଏସ୍‌ସିଓ) ଶୁକ୍ରବାର ଅକ୍ସଫୋର୍ଡ ଟିକାକୁ ସର୍ତ୍ତମୂଳକ ମଞ୍ଜୁରି ଦେଇଥିଲା । ଗତକାଲି ଭାରତ ବାୟୋଟେକ ଟିକାକୁ ମଧ୍ୟ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ଏହି ଦୁଇ ଟିକାକୁ ଯଦି ଡିସିଜିଆଇଙ୍କ ଚୂଡାନ୍ତ ଅନୁମୋଦନ ମିଳେ, ତେବେ ଚଳିତ ସପ୍ତାହରୁ ହିଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ସମ୍ଭାବନା ରହିଛି । ଟିକାକରଣ ପ୍ରସ୍ତୁତି ପରଖିବା ପାଇଁ ଗତକାଲି ଦେଶ ସାରା ଡ୍ରାଏ ରନ୍ ହୋଇଥିଲା ।

ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଟିକା ପ୍ରସ୍ତୁତ ଦାୟିତ୍ୱ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ନେଇଛି । ଭାରତରେ ଏହି ଟିକା ‘କୋଭିସିଲ୍ଡ’ ଭାବେ ନାମିତ ହୋଇଛି । ସେହିପରି ଦେଶୀ ଟିକା ଭାବେ ପରିଚିତ ‘କୋଭାକ୍ସିନ’କୁ ଭାରତର ସର୍ବୋଚ୍ଚ ଭେଷଜ ସଂସ୍ଥା ଆଇସିଏମ୍‌ଆର ସହଭାଗିତାରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଛି । ଏହି ଦୁଇ ଟିକା ସହ ଆମେରିକୀୟ କମ୍ପାନୀ ଫାଇଜର ମଧ୍ୟ ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଛି । ତେବେ ଏହି ଟିକା ସମ୍ପର୍କରେ ଅଧିକ ତଥ୍ୟ ଦାଖଲ କରିବା ପାଇଁ ଫାଇଜର ବିଶେଷଜ୍ଞ କମିଟିରୁ ସମୟ ମାଗିଛି ।

Comments are closed.