ଆଦିବାସୀ ମେଳାରେ ଚମକିଲା କୋରାପୁଟ କଫି

ଭୁବନେଶ୍ୱର: ଦକ୍ଷିଣ ଭାରତର କେତେକ ରାଜ୍ୟ ବିଶେଷ କରି କେରଳ ଓ ତାମିଲନାଡୁରେ କଫି ଚାଷ ଲୋକଙ୍କ ରୋଜଗାରର ଏକ ପ୍ରଧାନ ମାଧ୍ୟମ ରୂପେ ଗଣାଯାଏ । ଏହି ଦୁଇ ରାଜ୍ୟର ବ୍ୟାପକ ଅଂଚଳରେ କଫି ଚାଷ କରାଯିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ମାତ୍ର ଓଡ଼ିଶାର ବଣ ପାହାଡ ଘେରା ଆଦିବାସୀ ଅଧୁଷିତ କୋରାପୁଟ ଜିଲ୍ଲାର ଜନଜାତି ବର୍ଗ କଫି ଚାଷ କରି ଆତ୍ମନିର୍ଭରଶୀଳତା ପଥରେ ଯେ ଅଗ୍ରସର ହୋଇପାରନ୍ତି , ତାହା କଳ୍ପନାତୀତ ଥିଲା । କିନ୍ତୁ କୋରାପୁଟର ଜନଜାତି ଆଜି କଫି ଚାଷ କ୍ଷେତ୍ରରେ କେବଳ ସଫଳତା ହାସଲ କରିନାହାନ୍ତି , ସେମାନଙ୍କ ଦ୍ଵାରା ଉତ୍ପାଦିତ କଫିର ଚାହିଦା ଦେଶ ବିଦେଶରେ ବୃଦ୍ଧି ପାଉଛି । ସେମାନେ ନିଜ ଦ୍ୱାରା ଉତ୍ପାଦିତ କଫିକୁ ପ୍ୟାକେଟରେ ଭର୍ତ୍ତି କରି ତାକୁ ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । ଫଳରେ ସେମାନେ ବେଶ୍ ଦୁଇ ପଇସା ଆୟ କରିବାକୁ ସକ୍ଷମ ହେଉଛନ୍ତି ।

ସାରା ବିଶ୍ୱରେ ସ୍ୱଚ୍ଛଳ ବର୍ଗର ବ୍ୟବସାୟୀ ଗୋଷ୍ଠୀ ଓ ବଡ଼ ଚାଷୀ କଫି ଚାଷ ସହିତ ସଂପୃକ୍ତ ଥିବା ବେଳେ କୋରାପୁଟରେ ଗରିବ ଆଦିବାସୀ କଫି ଚାଷ କରି ସଫଳତା ପାଇବା ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।

ଜନଜତି ବର୍ଗର ଲୋକଙ୍କୁ କଫିଚାଷ ଦିଗରେ ଆଗେଇବା ପାଇଁ ସହାୟତାର ହାତ ବଢ଼ାଇଛି ଆଦିବାସୀ ଉନ୍ନୟନ ସମବାୟ ନିଗମ ( ଟି.ଡି.ସି.ସି. ) । କୋରାପୁଟ କଫିର ଚାହିଦା ଓ ଗ୍ରହଣୀୟତା କିପରି ବୃଦ୍ଧି ପାଇଛି , ତାହାର ନିଛକ ପ୍ରମାଣ ଦେଖିବାକୁ ମିଳୁଛି ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ । ଏହି ମେଳା ପରିସରରେ ଖୋଲିଥିବା ‘ଆଦିବାସୀ କଫି ହାଉସ୍ ’ ନାମକ ଷ୍ଟଲରେ ଗ୍ରାହକମାନେ ଆଦିବାସୀ ମାନଙ୍କ ଦ୍ଵାରା ଉତ୍ପାଦିତ ଓ ପ୍ୟାକେଟ୍‌ରେ ଭର୍ତ୍ତି ହୋଇ ବିକ୍ରି ହେଉଥିବା କଫି କିଣିବାକୁ ଭିଡ ଜମାଉଛନ୍ତି ।

ସଂସ୍ଥା ପକ୍ଷରୁ ୧୦୦ ଗ୍ରାମ୍ ଓ ୨୫୦ ଗ୍ରାମ୍ ଓଜନର ପ୍ୟାକେଟ୍ ପ୍ରସ୍ତୁତ ହୋଇଛି । କୋରାପୁଟ କଫିର ଗୁଣାତ୍ମକ ମାନ ଓ ସ୍ଵାଦ ଅନ୍ୟ କଫି ତୁଳନାରେ ଅଧୁକ ହୋଇଥିବାରୁ ଏହାକୁ ନେବା ପାଇଁ ଦର୍ଶକଙ୍କ ଆଗ୍ରହ ବଢୁଛି । ଆଦିବାସୀ କଫି ହାଉସ୍ ପକ୍ଷରୁ ୨୦୧୯ ମସିହାରୁ କଫି କାରବାର ଆରମ୍ଭ ହୋଇଥିବା ବେଳେ ଦୁଇବର୍ଷ ମଧ୍ୟରେ ଏହା ଉଲ୍ଲେଖନୀୟ ସଫଳତା ପାଇ ପାରିଛି । ଏହି ଷ୍ଟଲରେ କଫି ପ୍ୟାକେଟ୍ ଗୁଡିକ କେବଳ ବିକ୍ରି ହେଉନାହିଁ , ଏହାର ପ୍ରସ୍ତୁତ ପ୍ରଣାଳୀ ଓ ଗୁଣାତ୍ମକ ମାନ ସମ୍ପର୍କରେ ଦର୍ଶକଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଉଛି ।

ଆଦିବାସୀ ମେଳା ଆଜି ଏକାଦଶ ଦିନରେ ପହଁଚିଥିବା ବେଳେ କାରବାର ମଧ୍ୟ ବେଶ୍ ବୃଦ୍ଧି ପାଇଥିବାର ଲକ୍ଷ୍ୟ କରାଯାଉଛି । ଅପରାହ୍ନରେ ବହୁ ଲୋକ ମେଳା ପରିସରକୁ ଆସି ନିଜର ଚାହିଦା ଅନୁଯାୟୀ ଘରକରଣା ସାମଗ୍ରୀ କ୍ରୟ କରିଥିଲେ । ଖାଦ୍ୟ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ନ ଥିଲେ ମଧ୍ୟ ଦର୍ଶକମାନଙ୍କ ଆଗ୍ରହକୁ ଏହା ଅଟକାଇ ପାରି ନଥିଲା ।

Comments are closed.