ଆମେରିକାରେ ବାଇଡେନ ଯୁଗ ଆରମ୍ଭ, ପ୍ରଥମ ଦିନରେ ହିଁ ନେଲେ ୧୭ ବଡ଼ ନିଷ୍ପତ୍ତି

ୱାଶିଂଟନ – ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ଗ୍ରହଣ କରିଛନ୍ତି । ଏହାସହ ଆମେରିକାରେ ବାଇଡେନ ଯୁଗ ଆରମ୍ଭ ହୋଇଛି । ବୁଧବାର କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟଲ ବିଲ୍ଡିଂ (ସଂସଦ ଭବନ)ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆମେରିକାର ପ୍ରଧାନ ବିଚାରପତି ରୋବର୍ଟ ଡେମୋକ୍ରାଟିକ୍ ନେତା ବାଇଡେନଙ୍କୁ ଶପଥ ପାଠ କରାଇଥିଲେ । ତା’ପୂର୍ବରୁ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଭାରତୀୟ ବଶଂଜ କମଲା ହାରିସ ଶପଥ ନେଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ, ବିଲ କ୍ଲି ନ ଏବଂ ବାରାକ ଓବାମା ଉପସ୍ଥିତ ଥିଲେ । କିନ୍ତୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ ଏଥିରେ ଯୋଗ ଦେଇନଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ବାଇଡେନ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଭାବେ ପ୍ରଥମ ଦିନରେ ହିଁ ବାଇଡେନ ଟ୍ରମ୍ପ ପ୍ରଶାସନର ବହୁ ନୀତି ରଦ୍ଦ କରିବା ସହ ମୋଟ ୧୭ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ନିର୍ବାଚନ ବେଳେ ସେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଆଉ କିଛି ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ବାଇଡେନ ନେଇଥିବା ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ପ୍ୟାରିସ୍ କ୍ଲାଇମେଟ୍ ଚୁକ୍ତିକୁ ଆମେରିକାର ପୁନଃ ମଂଜୁରୀ, ଜାତିଆଣ ହିଂସା ଶେଷ କରିବାକୁ ପଦକ୍ଷେପ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିବା ନିଷ୍ପତ୍ତି ଉପରେ ରୋକ, ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ବନ୍ଦ ଇତ୍ୟାଦି । ସେହିପରି ଟ୍ରମ୍ପ ପ୍ରଶାସନ ମୁସଲିମ ଦେଶ ଉପରେ ଯେଉଁ ଟ୍ରାଭେଲ ବ୍ୟାନ୍ ଲଗାଇଥିଲେ, ତାକୁ ମଧ୍ୟ ବାଇଡେନ୍ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ଆମେରିକାରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯିବ ବୋଲି ବାଇଡେନ କହିଛନ୍ତି ।

Comments are closed.