ଆସାମ ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ମିଳିଲା ଇଭିଏମ୍‌, ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଗୁଆହାଟି – ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଜଣେ ବିଜେପି ପ୍ରାର୍ଥୀଙ୍କ କାର୍‌ରୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌) ମିଳିବା ପରେ ଆସାମର ରତାବାରୀ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ସୃଷ୍ଟି ହୋଇଛି । କଂଗ୍ରେସ ଏହି ନିର୍ବାଚନ ମଣ୍ଡଳୀରେ ଭୋଟ୍ ରିଗିଂ ହୋଇଥିବା ଅଭିଯୋଗ କରିଛି । ଏହି ଘଟଣାରେ ନିର୍ବାଚନ କମିଶନ ସ୍ଥାନୀୟ ଏକ ପୋଲିଂ ବୁଥ୍‌ର ପ୍ରିସାଇଡିଂ ଅଫିସରଙ୍କ ସମେତ ତିନି ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଉକ୍ତ ପୋଲିଂ ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ଆସାମର ୩୯ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିଲା । ମତଦାନ ସରିବାର କିଛି ଘଣ୍ଟା ପରେ ରତାବାରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିମଗଞ୍ଜରେ ବିଜେପି ପ୍ରାର୍ଥୀ କ୍ରିଷ୍ଣେନ୍ଦୁ ପାଲଙ୍କ କାର୍‌ରୁ ଏକ ଇଭିଏମ୍ ଜବତ କରାଯାଇଥିଲା । କ୍ରିଷ୍ଣେନ୍ଦୁ ପାଲ୍ ମଧ୍ୟ ପଥରଖଣ୍ଡି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । କିଛି କଂଗ୍ରେସ ସମର୍ଥକ ତାଙ୍କ କାର୍‌କୁ ଅଟକାଇବା ପରେ ତାଙ୍କ ଗାଡ଼ିରୁ ଏହି ଇଭିଏମ୍ ମିଳିଥିଲା । ଯଦିଓ ଇଭିଏମ୍‌ର ସିଲ୍ ଖୋଲା ଯାଇନଥିଲା, ତେବେ ନିର୍ବାଚନ କମିଶନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କରିମଗଞ୍ଜର ବୁଥ୍ ନମ୍ବର ୧୪୯ରେ ସାନି ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ପୋଲିଂ ବୁଥ୍‌ର ଦାୟିତ୍ୱରେ ଥିବା ପ୍ରିସାଇଡିଂ ଅଫିସର ଓ ଅନ୍ୟ ତିନି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

Comments are closed.