ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅନୁକମ୍ପା ଆଧାରରେ ମୃତ କର୍ମଚାରୀଙ୍କ ଝିଅ ବି ଚାକିରି ପାଇବାକୁ ହକ୍‌ଦାର

ଲକ୍ଷ୍ନୌ – ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଚାକିରି କାଳରେ ଯଦି କୌଣସି ସକରାରୀ କର୍ମଚାରୀଙ୍କ ମୃତ୍ୟୁ ହୁଏ, ତେବେ ଅନୁକମ୍ପା ଆଧାରରେ ଉକ୍ତ କର୍ମଚାରୀଙ୍କ କେବଳ ବିବାହିତ ପୁଅ ନୁହେଁ, ତାଙ୍କ ଝିଅ ମଧ୍ୟ ସେହି ଚାକିରି ପାଇବାକୁ ହକ୍‌ଦାର । ମଞ୍ଜୁଲ ଶ୍ରୀବାସ୍ତବ ନାମ୍ନୀ ଜଣେ ମହିଳା କରିଥିବା ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ଜେଜେ ମୁନୀର ଏହି ରାୟ ପ୍ରକାଶ କରିଛନ୍ତି ।

ପ୍ରୟାଗରାଜ ଜିଲ୍ଲା ଶିକ୍ଷାଧିକାରୀଙ୍କ ଏକ ଆଦେଶକୁ ଚାଲେଞ୍ଜ୍ କରି ମଞ୍ଜୁଲ ଆହ୍ଲାବାଦ୍ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । ସେ ପିଟିସନରେ ଦର୍ଶାଇଛନ୍ତି ଯେ, ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଚାକିରି ପାଇବାକୁ ସେ ଆବେଦନ କରିଥିଲେ । କିନ୍ତୁ ସେ ବିବାହିତ ହୋଇଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କ ନିୟମ ଅନୁସାରେ ସେ ଏହି ଚାକିରି ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ଦର୍ଶାଇ ପ୍ରୟାଗରାଜ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ଆବେଦନ ଖାରଜ କରିଦେଇଥିଲେ ।

କୋର୍ଟ ଏହି ପିଟିସନର ଶୁଣାଣି କରି କହିଛନ୍ତି ଯେ, ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ପୁଅ ଅପେକ୍ଷା ତାଙ୍କ ବିବାହିତ ଝିଅ ଅନୁକମ୍ପା ଆଧାରରେ ଚାକିରି ପାଇବାକୁ କମ୍ ହକ୍‌ଦାର ନୁହଁନ୍ତି । ବିବାହିତ ହୋଇଥିବା ଦର୍ଶାଇ ମହିଳାଙ୍କ ଆବେଦନ ଅଗ୍ରାହ୍ୟ କରିବା ମୌଳିକ ଅଧିକାରର ଧାରା ୧୪ ଓ ୧୫ର ଉଲ୍ଳଂଘନ ବୋଲି କୋର୍ଟ କହିଛନ୍ତି ।

Comments are closed.