ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ ଦେବେ ସେରମ୍ ଓ ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ – ଆଉ ଦୁଇ ଦିନ ପରେ ଭାରତରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ସେରମ୍ ଇନଷ୍ଟିଚ୍ୟୁଟ୍‌ର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ଯଦି ଟିକା ନେବା ପରେ ଲୋକଙ୍କ ଠାରେ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହୁଏ, ତେବେ ଏହି ଦୁଇ କମ୍ପାନୀ କ୍ଷତିପୂରଣ ଦେବେ । କେନ୍ଦ୍ର ସରକାରଙ୍କ ତରଫରୁ ଏହା ସ୍ପଷ୍ଟ କରାଯାଇଛି । ଟିକା କିଣିବା ବେଳେ ସେରମ୍ ଓ ଭାରତ ବାୟୋଟେକ୍ ସହ ହୋଇଥିବା ଚୁକ୍ତିରେ ଏହି ସର୍ତ୍ତ ଉଲ୍ଲେଖ ରହିଛି ।

ନିୟମାନୁସାରେ ଟିକା ପ୍ରସ୍ତୁତକାରୀ କମ୍ପାନୀ ଏଭଳି କ୍ଷେତ୍ରରେ କ୍ଷତିପୂରଣ ଦେବାକୁ ପଡିବ । କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଆର୍ଥିକ ଦେବାଳିଆ ସ୍ଥିତି ପାଇଁ ଟିକା ନିର୍ମାତାକାରୀ କମ୍ପାନୀଙ୍କୁ ସରକାର ସୁରକ୍ଷା ଦେବେ ନାହିଁ । ଆମେରିକୀୟ ଔଷଧ କମ୍ପାନୀ ଫାଇଜର ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ବେଳେ ଏହି ପ୍ରତିଶ୍ରୁତି ଚାହିଁଥିଲା । କିନ୍ତୁ ସରକାର ଏଭଳି ପ୍ରତିଶ୍ରୁତି କୌଣସି ଟିକା ପ୍ରସ୍ତୁତକାରୀ କମ୍ପାନୀକୁ ଦେଇନାହାନ୍ତି ବୋଲି ଜଣାପଡିଛି ।

Comments are closed.