ଇଣ୍ଡୋନେସିଆ ବିମାନ ଦୁର୍ଘଟଣାର ଦିନକ ପରେ ସମୁଦ୍ରରୁ ମିଳିଲା ଶରୀର ଅଂଶ, ଧ୍ବଂସାବଶେଷ

ଜାକର୍ତ୍ତା – ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ଶନିବାର ନିଖୋଜ ହୋଇଥିବା ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସମୁଦ୍ରରେ ଖସି ପଡିଥିବା ସ୍ପଷ୍ଟ ହୋଇଛି। ଏହି ବିମାନରେ ୫୬ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ବିମାନଟି ପଶ୍ଚିମ କାଲିମେନ୍ତାନର ପ୍ରଦେଶର ରାଜଧାନୀ ପୋଣ୍ଟିଆନକ ଅଭିମୁଖେ ଯାଉଥିଲା।

ଖବର ଅନୁଯାୟୀ ଶ୍ରୀବିଜୟା ଏୟାରଲାଇନ୍ସର ଏହି ବୋଇଂ ବିମାନଟି ୨୬ ବର୍ଷ ପୁରୁଣା । ଉଦ୍ଧାରକାରୀ ଦଳର କିଛି ସଦସ୍ୟ କହିଛନ୍ତି ଯେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ବଂସାବଶେଷ ଭାସୁଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ କୋଷ୍ଟଗାର୍ଡ ଜାହାଜ କମାଣ୍ଡର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ଇଣ୍ଡୋନେସିଆ ଉପକୂଳର ଜାଭା ସମୁଦ୍ରରେ କିଛି ଶରୀର ଅଂଶ ଓ ବିମାନର ଧ୍ୱଂସାବଶେଷ ମିଳିଛି। ଏବେ ବି ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି |

ଶ୍ରୀବିଜୟା ଏୟାର ତରଫରୁ କୁହାଯାଇଛି ଯେ ସେମାନେ ବର୍ତ୍ତମାନ ଏହି ଘଟଣା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଇଣ୍ଡୋନେସିଆର ପରିବହନ ମନ୍ତ୍ରଣାଳୟର ମୁଖପାତ୍ର ଆଦିତା ଇରାବତୀ କହିଛନ୍ତି ବୋଇଂ ୭୩୭-୫୦୦ ବିମାନ ଜାକର୍ତ୍ତାରୁ ଅପରାହ୍ନ ପ୍ରାୟ ୧:୫୬ ରେ ଉଡାଣ ଆରମ୍ଭ କରିଥିଲା ​​ଏବଂ ପ୍ରାୟ ୨:୪୦ ସମୟରେ କଣ୍ଟ୍ରୋଲ ଟାୱାର ସହିତ ଏହାର ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।

Comments are closed.