କରୋନା ତାଣ୍ଡବ ଜାରି, ପଞ୍ଚମ ଥର ୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ତାଣ୍ଡବ ଜାରି ରହିଛି । ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ତଥ୍ୟ ଅନୁସାରେ ଭାରତରେ ଆଉ ୪୦୩,୭୩୮ ମାମଲା ସାମ୍ନାକୁ ଆସିଛି । କ୍ରମାଗତ ଚତୁର୍ଥ ଦିନ ଏବଂ ମୋଟ ଉପରେ ପଞ୍ଚ ମ ଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି । ଏହି ଘାତକ ରୋଗରେ ଲଗାତାର ଦ୍ୱିତୀୟ ଦିନ ୪ ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ମହାମାରୀ ଆଉ ୪୦୯୨ ଜଣଙ୍କ ମୁଣ୍ଡ ନେଇଛି ।

ସାମାନ୍ୟ ଆଶ୍ୱସ୍ତିକର ଖବର ହେଉଛି ଏହି ରୋଗରୁ ଗତ ୨୪ ଘଣ୍ଟାରେ ଆଉ ୩,୮୬,୪୪୪ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୨ ଲକ୍ଷ ୯୬ ହଜାର ୪୧୪ରେ ପହଞ୍ଚିଛି । ଏଥିମଧ୍ୟରୁ ଏଯାବତ୍ ୨ ଲକ୍ଷ ୪୨ ହଜାର ୩୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ମୋଟ ୩୭ ଲକ୍ଷ ୩୬ ହଜାର ୬୪୮ ସକ୍ରିୟ ରୋଗୀ ଅଛନ୍ତି ।
ଦେଶରେ ଟିକାର ନିଅଣ୍ଟିଆ ପରିସ୍ଥିତି ଯୋଗୁଁ ଟିକାକରଣ ମଧ୍ୟ ଧିମେଇ ଯାଇଛି । ମେ ୮ ସୁଦ୍ଧା ୧୬ କୋଟି ୯୪ ଲକ୍ଷ ୩୯ ହଜାର ୬୬୩ କରୋନା ଡୋଜ୍ ଦିଆଯାଇଛି । ଗତକାଲି ସାରା ଦେଶରେ ୨୦ ଲକ୍ଷ ୨୩ ହଜାର ୫୩୨ ଡୋଜ୍ ଦିଆଯାଇଛି ।

Comments are closed.