କରୋନା ଭାଇରସ୍ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍ ପାଇଁ ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ଅନୁମତି ଦେଲାନି ଚୀନ୍

‌ଜେନେଭା – କରୋନାଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ଚୀନର ଉହାନ୍ ଯିବାକୁ ଚାହୁଁଛନ୍ତି । କିନ୍ତୁ ଚୀନ୍ ଡବ୍ଲୁଏଚ୍‌ଓର ଏହି ଦଳକୁ ଏଯାବତ୍ ଅନୁମତି ଦେଇନାହିଁ । ଚୀନର ଏଭଳି ଆଭିମୁଖ୍ୟ ନେଇ ଡବ୍ଲୁଏଚ୍‌ଓ ମୁଖ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡବ୍ଲୁଏଚ୍‌ଓର ଏହି ୧୦ ଜଣିଆ ବିଶେଷଜ୍ଞ ଦଳ ଜାନୁୟାରୀ ପ୍ରଥମାର୍ଦ୍ଧରେ ଚୀନ୍‌ର ଉହାନ ପ୍ରଦେଶ ଯାଇ କରୋନାଭାଇରସ୍ ର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରିବାର ଥିଲା । ଡବ୍ଲୁଏଚ୍‌ଓର ଏହା ଏକ ବହୁ ପ୍ରତୀକ୍ଷିତ ମିଶନ । ପ୍ରାୟ ବର୍ଷେ ତଳେ ଚୀନ୍‌ର ଉହାନରୁ ହିଁ କରୋନାଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଚୀନ୍ ଏହି ରୋଗ ସମ୍ପର୍କରେ ଡବ୍ଲୁଏଚ୍‌ଓକୁ ବିଳମ୍ବରେ ସୂଚନା ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା ।

ଚୀନ୍ ଯିବାକୁ ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଦଳକୁ ଏ ଯାଏଁ ଚୀନ୍ ସରକାର ଅନୁମତି ଦେଇ ନାହାନ୍ତି । ଏନେଇ ସେ ଚୀନର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏହି ମିଶନ୍ ଆମର ପ୍ରାଥମିକତା ବୋଲି ମୁଁ ସେମାନଙ୍କୁ ସ୍ପଷ୍ଟ କରିଛି ବୋଲି ଡବ୍ଲୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେସସ୍ କହିଛନ୍ତି ।

ଚୀନ୍ ଯିବାକୁ ଥିବା ଏହି ଡବ୍ଲୁଏଚ୍‌ଓ ଦଳର ନେତୃତ୍ୱ ନେଉଛନ୍ତି ପଶୁରୋଗ ବିଶେଷଜ୍ଞ ପିଟର ବେନ୍ ଏମ୍ବାରେକ୍ । କରୋନା ଭାଇରସ୍ ସମ୍ପର୍କରେ ପ୍ରାରମ୍ଭିକ ଅନୁଧ୍ୟାନ ପାଇଁ ଏମ୍ବାରେକ୍ ଗତବର୍ଷ ଜୁଲାଇରେ ଚୀନ୍ ଯାଇଥିଲେ ।

Comments are closed.