କୃଷି ଆଇନ ଉପରେ ରୋକ୍ ଲଗାଇବାକୁ ସଙ୍କେତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ସମାଧାନ କରିବାରେ ବିଫଳତା ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଏହି ଆଇନକୁ କେନ୍ଦ୍ର ଯଦି ସ୍ଥଗିତ କରିପାରୁନି, ତେବେ ଆମେ ଏହା ଉପରେ ରୋକ୍ ଲଗାଇବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୃଷି ଆଇନ ନେଇ ଆଜି ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋର୍ଟ କହିଛନ୍ତି ଯେ, କୃଷି ଆଇନ ନେଇ ଚାଷୀଙ୍କ ଆପତ୍ତି, ଅଭିଯୋଗର ସମାଧାନ ପାଇଁ ଏକ କମିଟି ଗଠନ କରାଯିବା ଉଚିତ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରର ଆଭମୁଖ୍ୟ ନେଇ ମଧ୍ୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
କୃଷି ଆଇନ ଅଚଳାବସ୍ଥାର ଏ ଯାଏଁ କାହିଁକି ସମାଧାନ ହୋଇପାରୁନି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ସରକାର ସଠିକ୍ ଆଭିମୁଖ୍ୟ ଆପଣାଉଥିବା ଭଳି ମନେ ହେଉନାହିଁ । ସ୍ଥିତି ସ୍ୱାଭାବିକ ନ ହେଲା ଯାଏଁ ସରକାର ଯଦି ଆଇନକୁ ସ୍ଥଗିତ ନ କରନ୍ତି, ତେବେ ଆମେ ଏହା କରିବାକୁ ବାଧ୍ୟ ହେବୁ । ଆମେ ଏହି ଆଇନ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଏକ କମିଟି ଗଠନ କରିବୁ । ଏହି କମିଟି ଚାଷୀଙ୍କ ସବୁ ଆପତ୍ତି ଅଭିଯୋଗ ଉପରେ ବିଚାର କରିବ ବୋଲି କୋର୍ଟ କହିଛନ୍ତି । କୃଷି ଆଇନର ପ୍ରାସଙ୍ଗିକତା ଉପରେ ଆମେ ନିଷ୍ପତ୍ତି ନେବୁ ନାହିଁ , ବରଂ ଚାଷୀ ଓ ସରକାରଙ୍କ ମଧ୍ୟରେ ଏହି ଅଚଳାବସ୍ଥାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ବାହାର କରିବାକୁ ଚାହୁଁଛୁ ବୋଲି କୋର୍ଟ କହିଛନ୍ତି ।

ଆଇନ ଶୃଙ୍ଖଳା ଦୃଷ୍ଟିରୁ କୃଷି ଆଇନ ବିରୋଧରେ ଜାନୁୟାରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । କୃଷକ ସଂଗଠନମାନଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ଦୁଶ୍ୟନ୍ତ ଦାଭେ କୋର୍ଟକୁ କହିଛନ୍ତି ଯେ ଜାନୁୟାରୀ ୨୬ରେ ଚାଷୀଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ବା ପରେଡ୍ ହେବ ନାହିଁ ।

Comments are closed.