କୃଷି ଆଇନ: ସୁପ୍ରିମକୋର୍ଟଙ୍କ ନିଯୁକ୍ତ କମିଟିରୁ ଓହରିଲେ ଭୂପିନ୍ଦର ସିଂ ମାନ୍

ନୂଆଦିଲ୍ଲୀ – କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରୁ ଭୂପିନ୍ଦର ସିଂ ମାନ୍ ଓହରି ଯାଇଛନ୍ତି । ମାନ୍ ହେଉଛନ୍ତି ଭାରତୀୟ କିଷାନ ୟୁନିୟନ (ମାନ୍‌) ଓ ସର୍ବଭାରତୀୟ କୃଷକ ସମନ୍ୱୟ କମିଟିି (ଏଆଇକେସିସି)ର ସଭାପତି । କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଚାରି ଜଣିଆ ବିଶେଷଜ୍ଞ କମିଟିରେ ମାନ୍ ଅନ୍ୟତମ ସଦସ୍ୟ ଥିଲେ । ମାନ୍ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ତାଙ୍କୁ କମିଟିରେ ଚୟନ କରିଥିବାରୁ ସେ ସୁପ୍ରିମକୋର୍ଟଙ୍କ ନିକଟରେ କୃତଜ୍ଞ । ତେବେ କୃଷକ ସଂଗଠନ ଓ ସାଧାରଣ ଜନତାଙ୍କ ମନରେ ସୃଷ୍ଟି ହୋଇଥିବା ଧାରଣା ଓ ଆଶଙ୍କାକୁ ଦୃଷ୍ଟିରେ ରଖି ସେ ଏହି କମିଟିରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ଓ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ କୌଣସି ବି ପଦ ତ୍ୟାଗ କରିବାକୁ ପ୍ରସ୍ତୁତ ବୋଲି ମାନ୍ କହିଛନ୍ତି ।

ଗତ ମଙ୍ଗଳବାର ସୁପ୍ରିମକୋର୍ଟ ତିନି ବିବାଦୀୟ କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବା ସହ ଆନ୍ଦୋଳନରତ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ । ଏହି କମିଟିରେ ମାନ୍‌ଙ୍କ ସମେତ ଅଶୋକ ଗୁଲାଟି, ପ୍ରମୋଦ ଯୋଶୀ ଓ ଅନିଲ ଘନୱତ ଅନ୍ୟ ତିନି ସଦସ୍ୟ ଥିଲେ । ତେବେ ଏହି ଚାରି ସଦସ୍ୟଙ୍କ ନିରପେକ୍ଷତା ନେଇ କୃଷକ ସଂଗଠନମାନେ ପ୍ରଶ୍ନ ଉଠାଇଥିଲେ । ଏହି ଚାରି ସଦସ୍ୟ କୃଷି ଆଇନର ସମର୍ଥକ ବୋଲି ସେମାନେ ଅଭିଯୋଗ କରିବା ସହ ଏହି କମିଟି ଆଗରେ ହାଜର ହେବେ ନାହିଁ ବୋଲି କହିଥିଲେ ।

Comments are closed.