ଟିକାକରଣ ପାଇଁ ତତ୍ପରତା: ୨୯ ହଜାର ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରସ୍ତୁତ

ନୂଆଦିଲ୍ଲୀ – କୋଭିଡ୍-୧୯ ପାଇଁ ଦେଶରେ ଖୁବ୍ ଶୀଘ୍ର ଟିକାକରଣ ଅଭିଯାନ ଆରମ୍ଭ ବୋଲି କେନ୍ଦ୍ର ସରକାର ସଙ୍କେତ ଦେଇଛନ୍ତି । ଏଥିପାଇଁ ତିନୋଟି ପୃଥକ୍ କମ୍ପାନୀ ଦ୍ୱାରା ବିକଶିତ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ ବିଚାରାଧୀନ ରହିଛି । ଟିକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଟିକା ସଂରକ୍ଷଣ ଲାଗି ଦେଶବ୍ୟାପୀ ୨୮,୯୪୭ ଶୀତଳ ଭଣ୍ଡାର ଶୃଙ୍ଖଳ ସହ ୮୫,୬୪୩ ଆବଶ୍ୟକ ସରଞ୍ଜାମର ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଟିକାକରଣ ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ସହ ଜିଡିଟାଲ ପ୍ଲାଟ୍ଫର୍ମ ବି ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ମୁକାବିଲାରେ ଆଗଧାଡ଼ିରେ ଥିବା ବ୍ୟକ୍ତିବିଶେଷଙ୍କ ବ୍ୟତୀତ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରଖାଯାଇଛି । ସରକାର ମଧ୍ୟ ଅତିରିକ୍ତ ଶୀତଳ ଭଣ୍ଡାର ସ୍ଥାପନ କରୁଛନ୍ତି । ଟିକାକରଣ ପାଇଁ ସବୁ ରାଜ୍ୟମାନଙ୍କୁ ଆବଶ୍ୟକ ସରଞ୍ଜାମ ଯୋଗାଣ ଡିସେମ୍ବର ୧୦ରୁ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଦେଶର ପ୍ରତ୍ୟକ ନାଗରିକଙ୍କୁ ଟିକା ଦିଆଯିବ । ଏହା ବିଶ୍ୱର ସବୁଠୁ ବୃହତ ଟିକାକରଣ ଅଭିଯାନ ହେବ । ଏହା ପ୍ରାୟ ବର୍ଷେ କାଳ ଚାଲିବ ବୋଲି ଭୂଷଣ କହିଛନ୍ତି ।

Comments are closed.