କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୫ ଦିନ ତଳେ କଟକ SCBରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଥିଲା। ଖୁବ୍‌ ଶୀଘ୍ର ରାଉରକେଲାର ଆଇ.ଜି.ଏଚ୍‌, ବୁର୍ଲାର ଭୀମସାର ଏବଂ ବ୍ରହ୍ମପୁରର MKCG ମେଡିକାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ ମୁକାବିଲାରେ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପିର ପ୍ରୟୋଗ ଅତ୍ୟନ୍ତ ଉତ୍ସାହଜନକ ହୋଇଥିବାରୁ ଏହି ଚିକିତ୍ସା ପଦ୍ଧତିକୁ ଅଧିକରୁ ଅଧିକ ଭାବେ ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ନୂତନ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ରାଜ୍ୟର କେହି ଜଣେ ବି ବ୍ୟକ୍ତି ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ SCB Medical Collegeର ଡାକ୍ତରମାନେ ରାଜ୍ୟରେ ଆଧୁନିକ ପ୍ଲାଜମା ଥେରାପିର ସଫଳ ପ୍ରୟୋଗ କରି ଓଡିଶାକୁ ଗର୍ବିତ କରିଛନ୍ତି। କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଏପର୍ଯ୍ୟନ୍ତ ୨୩ ଜଣ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯାଇଛି । ଜଣେ ବ୍ୟକ୍ତିଙ୍କ ପ୍ଲାଜମା ଦୁଇ ଜଣ ରୋଗୀଙ୍କୁ ଦିଆଯାଇପାରିବ । ତେଣୁ ଏହାଦ୍ବାରା ୪୬ଜଣ ରୋଗୀ ଚିକିତ୍ସିତ ହୋଇପାରିବେ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଚିକିତ୍ସା ସେବା ସଂପ୍ରସାରିତ କରିବା ପାଇଁ ଏହା ଆମକୁ ପ୍ରେରଣା ଦେଇଛି।

କୋଭିଡ-୧୯ ପରି ଏକ ଅସାଧାରଣ ପରିସ୍ଥିତିରେ ରାଜ୍ୟର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଯେଭଳି ନିଷ୍ଠା ଓ ତ୍ୟାଗର ସହ କୋଭିଡ ଯୁଦ୍ଧରେ ସାମିଲ ହୋଇ ସେବା ଜାରି ରଖିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଛନ୍ତି। ଏଭଳି କଠିନ ସମୟରେ କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳକୁ ଦୃଢ ରଖିବା ପାଇଁ ଆମେ ସମସ୍ତେ କାମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ପ୍ଲାଜମାଦାତା ମାନଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟର ଦାୟିତ୍ବବାନ ନାଗରିକ ଭାବରେ ସମାଜ ପ୍ରତି ସେମାନଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଓ ମାନବିକତାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ଦାନ କରିଥିବା ଓଡିଶା ପୋଲିସର ଜବାନ, NDRFର ଜବାନ ଏବଂ ଅଗ୍ନିଶମ ସେବାର କର୍ମଚାରୀ ମାନଙ୍କର ମହତ୍‌ କାର୍ଯ୍ୟ ସଂପର୍କରେ ସ୍ବତନ୍ତ୍ର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଖୁବ ଶୀଘ୍ର ପ୍ଲାଜମା ଦାନ ଏକ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ କଟକରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଅହ୍ବାନ ଜଣାଇଥିଲେ। ଏହାସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ରାଜ୍ୟରେ ପ୍ଲାଜମା ଚିକିତ୍ସା କୋଭିଡ ରୋଗର ମୁକାବିଲା କ୍ଷେତ୍ରରେ ଏକ ସଫଳ ତଥା ଉଲ୍ଲୋଖନୀୟ ଭୂମିକା ଗ୍ରହଣ କରିପାରିବ ବୋଲି ଆଶା କରାଯାଉଛି ।

ପ୍ଲାଜମା ଦାନ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଯେଭଳି ସୁବିଧାରେ Registration କରିପାରିବେ, ସେଥିପାଇଁ ରାଜ୍ୟ ଇଲ୍‌କ୍ଟୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ବିକଶିତ ଏକ web portalକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏହି ପୋର୍ଟାଲରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କର Databaseକୁ ମଧ୍ୟ ସନ୍ନିବେଶିତ କରାଯାଇଛି। https:// covid19.odisha.gov.in/ରେ login କରି ‘Plasma Donor Self Registration’ click କରିବାକୁ ପଡିବ। ଏଥିରେ ଦାତାମାନଙ୍କ ଯୋଗ୍ୟତା ଏବଂ ସମ୍ମତି ଆଦି ବିଷୟ ମଧ୍ୟ ସ୍ଥାନିତ ହେବ।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ପ୍ଲାଜମା ଦାନ ଅଭିଯାନକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇବା ସହିତ ଅଧିକରୁ ଅଧିକ ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ଆହ୍ବାନ ଜଣାଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ପ୍ଲାଜମା ଦାନ ପାଇଁ IEC ଅଭିଯାନକୁ ଜୋରଦାର କରାଯିବ ବୋଲି କହିଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ଲାଜମା ଚିକିତ୍ସା ପଦ୍ଧତି ସଂପର୍କରେ ଖୁବ ଶୀଘ୍ର SOP ଜାରି କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାଜମା ଚିକିତ୍ସା ପଦ୍ଧତି ସଂପର୍କରେ ଏକ Video Film ଏବଂ ଏହି ଚିକିତ୍ସା ସଂପର୍କିତ FAQ Brochure (both Print & Digital) ଉନ୍ମୋଚନ କରିଥିଲେ ।
ବାଲେଶ୍ବରର ପ୍ଲାଜମା ଦାତା ଶ୍ରୀ ରଶ୍ମୀରଞ୍ଜନ ବେହେରା କୋଭିଡ ରୋଗ ସଂପର୍କରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ଏପରି ମହତ କାର୍ଯ୍ୟ ପାଇଁ ସରକାର ସୁଯୋଗ ସୃଷ୍ଟି କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

Comments are closed.