ଗଙ୍ଗା ନଦୀରେ ଭାସୁଛି ଅନେକ ଶବ, କୋଭିଡ୍ ରୋଗୀଙ୍କ ହୋଇଥିବା ଆଶଙ୍କାରେ ଲୋକେ ଭୟଭୀତ

ନୂଆଦିଲ୍ଲୀ: ଗଙ୍ଗା ନଦୀରେ ବହୁ ସଂଖ୍ୟକ ଶବ ଭାସୁଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନରେ ପ୍ରାୟ ୧୦୦ ଶବ ଗଙ୍ଗାନଦୀରେ ଠାବ କରାଯାଇଛି । ଅଧିକାଂଶ ମୃତଦେହ ପଚି ଯାଇଥିବା ବେଳେ ଆଉ କିଛି ଅର୍ଦ୍ଦଦଗ୍ଧ ଅବସ୍ଥାରେ ନଦୀରେ ଭାସୁଛି । ଗଙ୍ଗାରେ ଏତେ ସଂଖ୍ୟକ ମୃତଦେହ ଦେଖି ଉତ୍ତର ପ୍ରଦେଶ ଓ ବିହାରର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏହି ସବୁ ଶବଗୁଡିକ କୋଭିଡ୍ ରୋଗୀଙ୍କର ବୋଲି ସେମାନେ ଆଶଙ୍କା କରୁଛନ୍ତି । ଏହା ସେମାନଙ୍କ ଜୀବନ ପ୍ରତି ବଡ଼ ବିପଦ ବୋଲି ସେମାନେ କହିଛନ୍ତି ।

ବିହାରର ବକ୍ସର ଜିଲ୍ଲାରେ ଏଯାବତ୍ ୭୧ ଶବ ଗଙ୍ଗାନଦୀରୁ ଉଦ୍ଧାର ହୋଇଥିବା ବେଳେ ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାରୁ ୨୫ ଶବ ମିଳିଛି । ତେବେ ଏହି ଶବ ଗୁଡିକ କୋଭିଡ୍ ରୋଗୀଙ୍କର ବୋଲି ଏ ଯାଏଁ ଉଭୟ ଜିଲ୍ଲାର କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି । ଉଦ୍ଧାର ହୋଇଥିବା ଶବ ଗୁଡିକର ନମୁନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ବକ୍ସର ପୋଲିସ୍ କହିଛି ଯେ, ଉତ୍ତର ପ୍ରଦେଶର ଗାଜିପୁରରୁ ଏହି ସବୁ ଶବ ଭାସିଆସିଛି ।

ଗଙ୍ଗାରେ ଏତେ ସଂଖ୍ୟକ ଶବ ଭାସିବା ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି । ଉଭୟ ରାଜ୍ୟ ଏନେଇ ତଦନ୍ତ କରନ୍ତୁ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ।

Comments are closed.