ଚାଷୀ ଆନ୍ଦୋଳନ: ସମାଲୋଚନା ପରେ ରାସ୍ତାରୁ ଲୁହାକଣ୍ଟା ବାହାର କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଅଟକାଇବା ଲାଗି ଗାଜିପୁର, ସିଂଘୁ ଆଦି ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ପୋଲିସ ତରଫରୁ ତାରବାଡ଼, କଙ୍କ୍ରିଟ୍ ବ୍ୟାରିକେଡ୍ କରାଯିବା ସହ ରାସ୍ତାରେ ଲୁହା କଣ୍ଟା ପୋତା ଯାଇଥିଲା । ତେବେ ଦିଲ୍ଲୀ ପୋଲିସର ଏଭଳି ପଦକ୍ଷେପକୁ ସମସ୍ତେ ନିନ୍ଦା କରିଥିଲେ । ସୋସିଆଲ ମିଡିଆରେ ମଧ୍ୟ ଚାଷୀଙ୍କ ସହ ଶତ୍ରୁ ଭଳି ଆଚରଣ ନେଇ ପ୍ରଶାସନକୁ ସମାଲୋଚନା କରାଯାଇଥିଲା । ସମାଲୋଚନା ଓ ବିବାଦ ପରେ ଶେଷର ଦିଲ୍ଲୀ ପୋଲିସ ରାସ୍ତାରୁ ଲୁହାକଣ୍ଟା ବାହାର କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ୨୬ରେ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଜାତୀୟ ରାଜଧାନୀରେ ହିଂସା ଘଟିଥିଲା । ଚାଷୀମାନେ ଧାର୍ଯ୍ୟ ରୁଟ୍ ପରିବର୍ତ୍ତେ ଟ୍ରାକ୍ଟର ନେଇ ଦିଲ୍ଲୀ ଭିତରକୁ ପଶି ଆସିଥିଲେ । ଅନେକ ସ୍ଥାନରେ ସେମାନେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ ବୋଲି ଅଭିଯୋଗ ହୋଇଥିଲା । ପୋଲିସ ଓ ଚାଷୀ ମଧ୍ୟ ମୁହାଁମୁହିଁ ହୋଇଥିଲେ । ଉକ୍ତ ଘଟଣା ପରଠୁ ଗାଜିପୁର, ସିଂଘୁ , ଟିକ୍ରି ଆଦି ସୀମାନ୍ତ ଅଞ୍ଚଳରେ ଚାଷୀମାନଙ୍କୁ ରୋକିବା ପାଇଁ ଦିଲ୍ଲୀ ପୋଲିସ୍ ତରଫରୁ ତାରବାଡ଼ ସହ କଙ୍କ୍ରିଟ୍ ବ୍ୟାରିକେଡ୍ ନିର୍ମାଣ କରାଯାଇଥିଲା । ଏହାଛଡ଼ା ରାସ୍ତାରେ ବଡ଼ ବଡ଼ ଲୁହାକଣ୍ଟା ଲଗାଯାଇଥିଲା ।

Comments are closed.