ଚାଷୀ ଆନ୍ଦୋଳନ: ୨୯ରେ ସରକାରଙ୍କ ସହ ଆଲୋଚନା କରିବେ ଚାଷୀ, ରଖିଲେ ଚାରି ସର୍ତ୍ତ

ନୂଆଦିଲ୍ଲୀ – ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ମାନେ ଆଲୋଚନା ପାଇଁ ସରକାରଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ଡିସେମ୍ବର ୨୯ରେ ପୂର୍ବାହ୍ନ ୧୧ ଟା ସମୟରେ ସରକାରଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକ ସଂଗଠନ ପ୍ରସ୍ତାବ ଦେଇଛନ୍ତି। ତେବେ ଆଲୋଚନା ସମ୍ପର୍କରେ କୃଷକ ସଂଗଠନ ସରକାରଙ୍କ ନିକଟରେ ଚାରୋଟି ସର୍ତ୍ତ ମଧ୍ୟ
ରଖିଛନ୍ତି।

କୃଷକଙ୍କ ପ୍ରଥମ ସର୍ତ୍ତ ହେଉଛି ସରକାର ତିନୋଟି କୃଷି ଆଇନକୁ ରଦ୍ଦ କରନ୍ତୁ।
ଦ୍ୱିତୀୟ ସର୍ତ୍ତ ହେଉଛି ଏମ୍ଏସପିର (ସର୍ବନିମ୍ନ ସହାୟକ ମୂଲ୍ୟ) ଆଇନଗତ ଗ୍ୟାରେଣ୍ଟି ।
ତୃତୀୟ ସର୍ତ୍ତରେ ବିଦ୍ୟୁତ୍ ବିଲ୍ ଡ୍ରାଫ୍ଟରେ ପରିବର୍ତ୍ତନ ଆଣିବାକୁ ଦାବି ରହିଛି ।
ଚତୁର୍ଥ ସର୍ତ୍ତ ହେଉଛି ବାୟୁ ପ୍ରଦୂଷଣ ଆଇନରୁ ଚାଷୀଙ୍କୁ ବାଦ୍ ଦିଆଯାଉ ।

ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନର ପ୍ରଦର୍ଶନ ଚାଲିଛି। ଆଜି ଏହି ଆନ୍ଦୋଳନର ୩୨ତମ ଦିନ । ଏବେ ଏହା ଦେଖିବାକୁ ପଡ଼ିବ ଯେ, କୃଷକଙ୍କ ପ୍ରସ୍ତାବ ଉପରେ ସରକାର କିପରି ପ୍ରତିକ୍ରିୟା ରଖୁଛନ୍ତି । ସୂଚନାଯୋଗ୍ୟ ଯେ, କୃଷି ଆଇନ ରଦ୍ଦ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି । କିନ୍ତୁ ଏହା ହିଁ କୃଷକ ସଂଗଠନଙ୍କ ପ୍ରଥମ ସର୍ତ୍ତ ରହିଛି ।

କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ୪୦ଟି କୃଷକ ସଂଗଠନର ମୁଖ୍ୟ ସଂଗଠନ ‘ସଂଯୁକ୍ତ କିସାନ ମୋର୍ଚ୍ଚା’ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କୃଷକ ନେତାମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ତିନି କୃଷି ଆଇନ ରଦ୍ଦ ସହ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ପ୍ରସଙ୍ଗ ସରକାରଙ୍କ ସହ ଆଲୋଚନାର ଏଜେଣ୍ଡାର ଅଂଶ ହେବା ଉଚିତ ।

Comments are closed.