ଟିକାକରଣ ସାର୍ଟିଫିକେଟ୍‌ରେ ମୋଦିଙ୍କ ଫଟୋକୁ ବିରୋଧ କରି ଟିକା ନେବାକୁ ମନାକଲେ ଅବସରପ୍ରାପ୍ତ ପ୍ରଫେସର

ନୂଆଦିଲ୍ଲୀ: ଟିକାକରଣ ପରେ ଲୋକଙ୍କୁ ଦିଆଯାଉଥିବା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ବିରୋଧ କରି ଜଣେ ୭୪ ବର୍ଷୀୟ ଅବସରପ୍ରାପ୍ତ ପ୍ରଫେସର୍ ଟିକା ନେବାକୁ ମନା କରିଦେଇଛନ୍ତି । ଟିକା ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ହଟାଇବାକୁ ସେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଅପିଲ କରିଛନ୍ତି ।

ପଞ୍ଜାବ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଚମନଲାଲ କହିଛନ୍ତି ଯେ, ଜାଲିଆନାୱାଲାବାଗ୍ ଗଣହତ୍ୟାର ପୀଡିତଙ୍କୁ କ୍ଷତିପୂରଣ ସାର୍ଟିଫିକେଟ୍ ଦେବା ବେଳେ ବ୍ରିଟିଶ୍ ଅଧିକାରୀ ମାନେ ମଧ୍ୟ ସେମାନଙ୍କ ଫଟୋ ସେଥିରେ ଛାପିନଥିଲେ । ଟିକାକରଣ ସାର୍ଟିଫିକେଟ୍‌ରେ ମୋଦିଙ୍କ ଫଟୋ କାହିଁକି ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ନ ହଟିଲେ ସେ ଟିକା ନେବେ ନାହିଁ ବୋଲି ଚମନଲାଲ କହିଛନ୍ତି । ଏହାସହ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ଟିକା ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ହଟାଇବାକୁ ସେ ଅନୁରୋଧ କରିଛନ୍ତି ।

ସେହିପରି ଆଉଜଣେ ଅବସରପ୍ରାପ୍ତ ପ୍ରଫେସର କାଞ୍ଚା ଇଲାୟା ମଧ୍ୟ ଟିକା ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ହଟାଇବାକୁ ଦାବି କରିଛନ୍ତି । ଟିକା ସାର୍ଟିଫିକେଟ୍‌ରେ ମୋଦିଙ୍କ ଫଟୋ ରହିବା ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଶୋଭନୀୟ ପରମ୍ପରା ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

Comments are closed.